ବୀର ବାଘାଯତୀନ୍ ଓ ତାଙ୍କ ସାଥୀଗଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତବର୍ଷ ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଳବୀ ବୀର ବାଘାଯତୀନ୍ ଓ ତାଙ୍କର ଚାରିଜଣ ସତୀର୍ଥ ସାଥୀ ବିପ୍ଳବୀ ଚିତ୍ତପ୍ରିୟ ରାୟ ଚୌଧୁରୀ, ମନୋରଞ୍ଜନ ସେନଗୁପ୍ତ, ନୀରେନ୍ଦ୍ରନାଥ ଦାସଗୁପ୍ତ ଓ ଯତୀଶ ପାଲଙ୍କ ଉଦ୍ଦେଶ୍ୟରେ ଆଜି ସକାଳ ୯ ଘଟିକା ସମୟରେ କାଠସଂଗଡ଼ାସ୍ଥ ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ମିଳନସ୍ଥଳୀ ତ୍ରିବେଣୀଘାଟରେ ‘ଶହୀଦ ବାଘାଯତୀନ୍ ଓ ସନ୍ଥ ହରିଗୋଲାମ ସ୍ମୃତିକମିଟି’ ରେମୁଣା ପକ୍ଷରୁ ବୀରଗଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ତ୍ରିବେଣୀଘାଟର ମଠାଧୀଶ ବାବାଜୀ ଦୟାନନ୍ଦ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାରେ ବକ୍ତାମାନେ ବକ୍ତବ୍ୟ ଦେଇ ମତପ୍ରକାଶ କରିଥିଲେ ଯେ ଦେବ ଦେବ ମହାଦେବଙ୍କ ଠାରେ ଜଳାଭିଷେକ କରିବା ପରି ପରାଧୀନତାର ଶୃଙ୍ଖଳରୁ ଆମର ଦେଶମାତୃକାକୁ ମୁକ୍ତ କରିବା ପାଇଁ ତା’ର ବୀର ସନ୍ତାନଗଣ, ନିଜର ଜୀବନ, ଯୌବନ ଓ ସଂସାରକୁ ତ୍ୟାଗ କରି ଆପଣାର ପ୍ରାଣ ଓ ରକ୍ତକୁ ମାତୃଭୂମିର ମୁକ୍ତିଯଜ୍ଞରେ ତର୍ପଣ କରି ଯେଭଳି ରକ୍ତାଭିଷେକ କରିଥିଲେ ସେଇ ମାଟି ହିଁ ଇତିହାସରେ ମୁକ୍ତିତୀର୍ଥ ବା ରକ୍ତତୀର୍ଥ ଭାବେ ପରିଗଣିତ ହୋଇଥାଏ ।ସେଦିନ ବାଲେଶ୍ୱର ସହର ନିକଟସ୍ଥ ବୁଢ଼ାବଳଙ୍ଗ ତୀର ରକ୍ତତୀର୍ଥ ଚଷାଖଣ୍ଡ ଯୁଦ୍ଧର ନାୟକ ସେନାପତି ବାଘାଯତୀନ ଏବଂ ତାଙ୍କ ସାଥୀଙ୍କ ତ୍ୟାଗ, ତପସ୍ୟା, ଦେଶପ୍ରେମ ଓ ବଳିଦାନ ଚିରକାଳ ଲାଗି ଆମର ଆଗାମୀ ପିଢ଼ି ପାଇଁ ସେବା ଓ ସଂଗ୍ରାମ ଲାଗି ପ୍ରେରଣାର ଉତ୍ସ ହୋଇ ରହିବ । ଉକ୍ତ ସ୍ମୃତିସଭାରେ କମିଟିର ସଭାପତି ବିଧାନଚନ୍ଦ୍ର ରାୟ, ସାଧାରଣ ସଂପାଦକ ଅରୁଣ ଜେନା, ଉପସଭାପତି ଆଇନଜୀବୀ ତୁଷାରକାନ୍ତି ମହାପାତ୍ର, ବରିଷ୍ଠ ସଦସ୍ୟ କରୁଣାକର ଖଟୁଆ, ଦାମୋଦର ବିଶ୍ୱାଳ, ନିରଞ୍ଜନ ଗିରି, ହାଡ଼ିବନ୍ଧୁ ସାମଲ, ଶିବପ୍ରସାଦ ଜେନା, ଅସିତ୍ ପ୍ରଧାନ, ଡ. କୁଳମଣି ଓ ହେମନ୍ତ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାପୂର୍ବରୁ ଉପସ୍ଥିତ ସଦସ୍ୟଗଣ ବାଘାଯତୀନ୍ ଓ ତାଙ୍କ ସାଥୀମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।