ସମ୍ପାଦକ ନିଯୁକ୍ତି ବିଜ୍ଞାପନ ବାତିଲ କରିବାକୁ ଦାବୀ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡାଶାସନ ସେବା ସମବାୟ ସମିତି ଲିଃ ର ସମ୍ପାଦକ ନିଯୁକ୍ତି ବିଜ୍ଞାପନ ବାତିଲ କରିବାକୁ ସମିତିର ସଦସ୍ୟ ବୃନ୍ଦ ବ୍ରହ୍ମପୁର ମଣ୍ଡଳ ସମବାୟ ସମିତି ସମୂହର ଉପନିବନ୍ଧକ ଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି। ସରପଞ୍ଚ, ସମିତି ସଭ୍ୟ ଓ ସମବାୟ ସମିତି ସଦସ୍ୟଙ୍କ ଦାବି ହେଲାଯେ, ସ୍ଥାୟୀ ସମ୍ପାଦକ ନିଯୁକ୍ତି ପାଇଁ ବିଜ୍ଞାପନ ଲୁକାୟିତ ଭାବେ ବାହାର କରିଛନ୍ତି। ନିୟମ ପ୍ରକାରେ ନିଯୁକ୍ତି ବିଜ୍ଞାପନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସମିତି କାର୍ଯ୍ୟାଳୟ, ରାଜସ୍ୱ ପରିଦର୍ଶକଙ୍କ କାର୍ଯ୍ୟାଳୟ ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ଲଗାଇବା ବାଧ୍ୟତା ମୂଳକ ଅଟେ। ଏହି ନିୟମ କାର୍ଯ୍ୟକାରୀ ନକରି ସମିତିର ଇନଚାର୍ଜ ସମ୍ପାଦକ ଓ ସଭାପତି ଲୁକାୟିତ ଭାବେ ଷଡ଼ଯନ୍ତ୍ର କରି ବିଜ୍ଞାପନ ବାହାର କରିବା ନେଇ ଅଫିସକୁ ମିଥ୍ୟା ଖବର ଜଣାଇଥିବା ଶୁଣିବାକୁ ପାଇଥିବା ଅଭିଯୋଗ କରିଛନ୍ତି। ପୂର୍ବ ବିଜ୍ଞାପନ ବାତିଲ କରି ସମିତିର ସ୍ଥାୟୀ ସମ୍ପାଦକ ନିଯୁକ୍ତି ପାଇଁ ପୁନର୍ବାର ବିଜ୍ଞାପନ ନିୟମ ପ୍ରକାରେ ବାହାର କରିବାକୁ ଦାବି କରାଯାଇଛି।