ମଧ୍ୟାହ୍ନଭୋଜନରେ ପୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କିଛି ମାସ ତଳେ ବେଲଗୁଣ୍ଠା ବ୍ଳକ୍ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରୁ ବୁଢିଆଣୀ ବାହାରିବା ନେଇ ବେଶ୍ ହଟଚମଟ ହୋଇଥିବା ବେଳେ ଆଜି ପୁଣି ଏହାର ପୁନରାବୃତ୍ତି ଘଟିଛି ବ୍ଳକ୍ ର ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ସୂଚନା ପ୍ରକାରେ ବିଦ୍ୟାଳୟରେ ପ୍ରତିଦିନ ୩୫୧ଜଣ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇଥାନ୍ତି I ଏହି ମଧ୍ୟାହ୍ନଭୋଜନ ଏକ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ୍ କିଚେନ୍ ରୁ ଆସିଥାଏ I ଆଜି ବିଦ୍ୟାଳୟର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯାଇଥିବା ବେଳେ ନିଜେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ମଧ୍ୟାହ୍ନଭୋଜନ ତଦାରଖ ଦାୟିତ୍ୱରେ ରହିଥିଲେ I ଆଜି ମଧ୍ୟାହ୍ନଭୋଜନ ପହଞ୍ଚିବା ପରେ କିଛି ଛାତ୍ରଛାତ୍ରୀ ଖାଉଥିବା ସମୟରେ ମଧ୍ୟାହ୍ନଭୋଜନରେ କିଛି କଳାରଙ୍ଗର ପୋକ ମରି ପଡିଥିବାର ଦୃଶ୍ୟ ପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନଜରକୁ ଆସିଥିଲା I ଏହା ଦେଖି ମଧ୍ୟାହ୍ନଭୋଜନ ନଖାଇବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ପିଲାଙ୍କୁ ପାଟି କରି ନିର୍ଦ୍ଦେଶ ଦେଇଥିଲେ I ଏହି ସମୟରେ କିଛି ପିଲା ମଧ୍ୟାହ୍ନଭୋଜନ ଖାଇସାରିଥିବା ବେଳେ ସାତ ଆଠ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନରେ କଳାରଙ୍ଗର ପୋକ ପଡିଥିବାର ଦେଖିବାକୁ ମିଳିଥିଲା I ଏହାପରେ ସେହି ଖାଦ୍ୟକୁ ଫୋପାଡ଼ି ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ସଙ୍ଗେ ସଙ୍ଗେ ସେଣ୍ଟ୍ରାଲ୍ କିଚେନ୍ ପରିଚାଳକ ଅସୀତ୍ ସାହୁଙ୍କୁ ଯୋଗାଯୋଗ କରି ମଧ୍ୟାହ୍ନଭୋଜନରୁ ପୋକ ବାହାରୁଥିବା ଏବଂ ଭାତ ଜାଉ ଭଳି ହୋଇଯାଇଥିବା ନେଇ ଜଣାଇଥିଲେ I ଏନେଇ ଅସୀତ୍ ସାହୁଙ୍କ ପ୍ରତିକ୍ରିୟା ନିଆଯିବାରେ ସେ ଏହି ପୋକକୁ ଚାଉଳ ପୋକ ବୋଲି ସଫେଇ ଦେଇଥିଲେ I କିନ୍ତୁ ଚାଉଳ ପୋକର ରଙ୍ଗ ଧଳା ହୋଇଥିବା ବେଳେ ଆଜି ମଧ୍ୟାହ୍ନଭୋଜନରୁ ବାହାରିଥିବା ପୋକ କଳା ରଙ୍ଗର ହୋଇଥିବାରୁ ଏହା ଅନ୍ୟ କୌଣସି ବିଷାକ୍ତ ପୋକ ବୋଲି ଅନୁମାନ କରାଯାଉଛି I ସମ୍ପୃକ୍ତ ମଧ୍ୟାହ୍ନଭୋଜନ ପ୍ରସ୍ତୁତକାରୀ ସଂସ୍ଥା କୌଣସି ଅପରିଷ୍କାର ଟାଙ୍କି କିମ୍ବା ପୋଖରୀରୁ ରୋଷେଇରେ ବ୍ୟବହାର କରୁ୍ଥିବା ଜଳରୁ ଏହି ପୋକ ମଧ୍ୟାହ୍ନଭୋଜନରେ ପଡ଼ିଥିବା ଅନୁମାନ କରାଯାଉଛି I ତେବେ ପୂର୍ବରୁ ବିଦ୍ୟାଳୟମାନଙ୍କରେ ସମ୍ପୂର୍ଣ୍ଣ ପରିଷ୍କାର ପରିଛନ୍ନତା ପରିବେଶ ମଧ୍ୟରେ ରୋଷେଇ କରିକି ଦିଆଯାଉଥିବା ବେଳେ ସଂପୃକ୍ତ ସଂସ୍ଥା ଅପରିଷ୍କାର ପରିବେଶ ମଧ୍ୟରେ ରୋଷେଇ କରୁ୍ଥିବା ଯୋଗୁଁ ବାରମ୍ବାର ମଧ୍ୟାହ୍ନଭୋଜନରେ ପୋକ ବାହାରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି I ଅଭିଭାବକମାନଙ୍କ ଅଭିଯୋଗ ପ୍ରକାରେ ବ୍ଳକ୍ ସ୍ତରୀୟ ଅଧିକାରୀ ମାନେ ମଧ୍ୟାହ୍ନଭୋଜନ ସ୍ଥାନ ଯାଞ୍ଚ୍ ସମୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତକାରୀ ସଂସ୍ଥା ଠାରୁ ହାତଗୁଞ୍ଜା ନେଇ ଚୁପ୍ ରହିବା ସହିତ ଜିଲ୍ଳା ଏବଂ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ପୂର୍ବରୁ ସମ୍ପୃକ୍ତ ସଂସ୍ଥାକୁ ଆଗୁଆ ସୂଚନା ଦେଇ ତାକୁ ଘଣ୍ଟ ଘୋଡାଉଛନ୍ତି I ତେବେ ବାରମ୍ବାର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଥିବା ମଧ୍ୟାହ୍ନଭୋଜନ ପ୍ରସ୍ତୁତକାରୀ ସଂସ୍ଥା ଏବଂ ଏହାକୁ ଘଣ୍ଟ ଘୋଡାଉଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବହୁ ଅଭିଭାବକ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ