ବ୍ଲକବ୍ୟାପି ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟବନ୍ଦ ଓ ଧାରଣା
ଓଡ଼ଗାଁ, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଡାକରାରେ ଆଜି ସମଗ୍ର ରାଜ୍ୟରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜର ବ୍ଲକ୍ ତରଫରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଓ ଧାରଣା ଦେଇଛନ୍ତି।ଏ ପରିପ୍ରେକ୍ଷୀରେ ଆଜି ଓଡ଼ଗାଁ ବ୍ଲକରେ ତା’ର ପ୍ରଭାବ ଦେଖିବାକୁ ମିଳିଛି।ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ୍ ଓ ପାଲଟାଣି ଦିନ ଦଶଟାରୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ।ଫଳରେ କାଁ ଭାଁ କେଉଁଠାରେ ବିଦ୍ୟାଳୟ ଚାଲିଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଲିଥିଲା ଏବଂ ଆଉ କେତେକ ବିଦ୍ୟାଳୟରୁ ଅଭିଭାବକମାନେ ପିଲାମାନଙ୍କୁ ଫେରାଇ ଆଣୁଥିବା ଦେଖିବାକୁ ମିଳିଥିଲା।ଦୀର୍ଘ ଦିନ ଧରି ପ୍ରାଥମିକ ଶିକ୍ଷକମାନଙ୍କ କ୍ଷେତ୍ରରେ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ବେଳେ ସଂଘ ପକ୍ଷରୁ ଦିଆଯାଇଥିବା ଦାବି ଗୁଡ଼ିକ ଯଥାର୍ଥ ବୋଲି ଗ୍ରହଣ କରିଲେ ସୁଦ୍ଧା କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନାହିଁ।କେବଳ ତାରିଖ ପରେ ତାରିଖ ଗଡାଇ ସଚିବସ୍ତରୀୟ ବୈଠକ, ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ଇତ୍ୟାଦି ବାହାନାରେ ଶିକ୍ଷକ ଆନ୍ଦୋଳନକୁ ଭଣ୍ଡୁର କରି ସେମାନଙ୍କୁ ମାନସିକ ଆଘାତ ଦିଆଯାଉଛି ବୋଲି ଶିକ୍ଷକ ନେତୄବୄନ୍ଦ କହିଛନ୍ତି।ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ, ରାଲି,ରାଜଧାନୀରେ ଧାରଣା, ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ ଏପରିକି କିଛି ଦିନ ତଳେ ଓଡ଼ଗାଁ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନ ମିଳିବାରୁ ଏବଂ ପୁନର୍ବାର ଦାବିପତ୍ର ଦେବାପରେ ଗୁରୁଦିବସ ଦିନ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ଫଳବତୀ ନହୋଇ ପୁଣି ଏକ ତାରିଖ ସୁଦ୍ଧା ଅପେକ୍ଷା କରିବାକୁ ନିର୍ଦ୍ଦେଶ ହେବାରୁ ଆମର ଧୈର୍ଯ୍ୟ ଚ୍ୟୁତି ଘଟିଛି ଏବଂ ବାଧ୍ୟ ହୋଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ନିଷ୍ପତ୍ତି ନିଆଗଲା ବୋଲି ସଂଘ କହିଛି।କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା,ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା,କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରି ଛଅଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରିବା ସହ ଏକ୍ସକ୍ୟାଡର, କଳା ଓ କ୍ରିଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦେବା ଏହି ତିନିଦଫା ଦାବି ନେଇ ଶିକ୍ଷକ ସଂଘ ଧାରଣାରେ ବସିଥିବା ସୂଚନା ମିଳିଛି।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ର,ଏନପିଏସ୍ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ସାହୁ ଓ କନିଷ୍ଠ ଶିକ୍ଷକ ସଂଘ ସମ୍ପାଦକ ଜଗନ୍ନାଥ ବାରିକ ପ୍ରମୁଖ ଆଜିର ଧାରଣାର ନେତୄତ୍ୱ ନେଇଥିଲେ।