ପାନୀୟ ଜଳ ପାଇପି ପକାଯିବା ପାଇଁ ଖୋଳା ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ପଂଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବା ସହ ପାଇପ ବିଛା କାର୍ଯ୍ୟ ଜାରି ରହିଛି । ପ୍ରକଳ୍ପ ନିର୍ମାଣ ଓ ପାଇପ ବିଛା କାର୍ଯ୍ୟ ନିଯୁକ୍ତ ଠିକାଦାର କରୁଥିବା ବେଳେ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ରହିଛି । ପ୍ରତି ଗୃହକୁ ପାନୀୟ ଜଳ ପାଇପ ସଂଯୋଗ କରିବା ପାଇଁ କେଉଁଠି ପୂର୍ତ ବିଭାଗର ରାସ୍ତା ପାଶ୍ୱର୍ ଖୋଳା ଯାଉଥିବା ବେଳେ କେଉଁଠି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଖୋଳାଯାଉଛି । ଏପିରିକି କେଉଁଠି ଗ୍ରାମ୍ୟ ରାସ୍ତା ଖୋଳା ଯାଉଥିବା ଦେଖାଯାଇଛି । ନିୟମାନୁସାରେ ଦାୟିତ୍ୱରେ ଥିବା ଠିକାଦାର ଢଳେଇ ରାସ୍ତାର ଯେତିକି ଅଂଶ ଢଳେଇ ଖୋଳିବେ ସେତିକି ଅଂଶ ଢଳେଇ ପକାଇ ରାସ୍ତାକୁ ପୋତିବେ । ହେଲେ ଦାୟିତ୍ୱରେ ଥିବା ଠିକାଦାର ରାସ୍ତା ପାଶ୍ୱର୍ର ଢଳେଇ ୬ଇଂଚ ଖୋଳି ପାଇପ ବିଛାଇଥିବା ବେଳେ ପୁନର୍ବାର ଢଳେଇ କରିବା ବେଳକୁ ମାତ୍ର ୨ଇଂଚର ଢଳେଇ ପକାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଜନସାଧାରଣମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତମାନ ନାଉଗାଁ ପଂଚାୟତରେ ପାଇପ ବିଛା କାର୍ଯ୍ୟ ଜାରି ରହିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ନାଉଗାଁ-ଡାବର ରାସ୍ତାର ନାଉଗାଁ ବଜାର ଠାରୁ ଗୋଠଦା ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ ଖୋଳା ଯାଇଛି । ଠିକାଦାର ମନଇଚ୍ଛା ରାସ୍ତାର ଢଳେଇ ଫଟାଇଥିବା ବେଳେ ପୁନର୍ବାର ଢଳେଇ କରିବା ବେଳକୁ ଢଳେଇ ୬ଇଂଚ କରିବା ପରିବର୍ତେ ଖାଲସ୍ଥାନରେ ବାଲି ପକାଇବା ପରେ ମାତ୍ର ୨ଇଂଚ ଢଳେଇ କରୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସଂପୃକ୍ତ ଠିକାଦାର ରାତି ଅଧିଆ ଢଳେଇ ପକାଇ ଦେଇଥିବା ଜଣାଯାଇଛି । ଯାହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଇଂ.ରମାକାନ୍ତ ମିଶ୍ର କାର୍ଯ୍ୟସ୍ଥଳ ତଦାରଖ କରିବା ପରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ୨ଇଂଚ ପଡିଥିବା ଢଳେଇକୁ ଖୋଳି ପୂର୍ଣ୍ଣବାର ୬ ଇଂଚର ଢଳେଇ କରିବାକୁ ତାଗିଦ କରିଛନ୍ତି । ସୂଚନାଯୋଗ୍ୟ ଯେ ସଂପୃକ୍ତ ଠିକାଦାର ମନଇଚ୍ଛା ରାସ୍ତା ଖୋଳି ଦୀର୍ଘ ଦିନ ହେବ ରାସ୍ତା ନ ପୋତିବାରୁ ଉକ୍ତ ରାସ୍ତାରେ ଅନେକ ଗାଡି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ