ବ୍ୟାଙ୍କରେ ଗ୍ରାହକ ପାଉନାହାନ୍ତି ଉଚିତ୍ ସେବା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରେ ଗ୍ରାହକ ମାନେ ଉଚିତ ସେବା ପାଉନଥିବା ଅଭିଯୋଗ ହେଉଛି। କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାଙ୍କ ସେବା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସାଧାରଣ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି। ସୂଚନା ଅନୁଯାୟୀ ମଞ୍ଜୁରୀରୋଡ଼ ଠାରେ ଇଣ୍ଡିଆନ ବ୍ୟାଙ୍କ, ଆଖୁଆପଦା ଠାରେ ବ୍ୟାଙ୍କ ଅଫ ଇଣ୍ଡିଆ, ସରସଦା ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭଣ୍ଡାରିପୋଖରୀ ଠାରେ ୟୁକୋ ବ୍ୟାଙ୍କ ରହିଛି। ଏହାଛଡା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ବାଲେଶ୍ଵର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ମଧ୍ୟ ଭଣ୍ଡାରିପୋଖରୀ ଠାରେ ପ୍ରତିଷ୍ଠା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କକୁ ଶହ ଶହ ଗ୍ରାହକ ବିଭିନ୍ନ କାର୍ଯ୍ୟ ପାଇଁ ଯାଉଥିବା ବେଳେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଖାତାଧାରୀ ମାନେ ଧାଡିରେ ଛିଡା ହେଉଥିବା ବେଳେ ସେମାନଙ୍କ ପାଇଁ ନା ଅଛି ଫ୍ୟାନ ନା ଅଛି ବିଶୁଦ୍ଧ ପାନୀୟ ଜଳ। ଯଦିଓ ନିୟମ ଅନୁସାରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକ ମାନଙ୍କୁ ଏସବୁ ଯୋଗାଇ ଦେବା କଥା। ଏହାଛଡା କେତେକ ବ୍ୟାଙ୍କରେ କର୍ମଚାରୀ ଅଭାବ ଓ ଅପରିପକ୍ଵ କର୍ମଚାରୀ ମାନଙ୍କ ମନ୍ଥର କାର୍ଯ୍ୟ ଯୋଗୁ ଲୋକମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ନୟାନ୍ତ ହେଉଛନ୍ତି। ଅନେକ ସମୟରେ ନେଟ ଫେଲ ଯୋଗୁ ମଧ୍ୟ ଦୂର ଦୁରାନ୍ତରୁ ଆସୁଥିବା ଲୋକ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷ କରି ସରକାର ବ୍ୟାଙ୍କ ଜରିଆରେ ମହିଳା ଓ ସ୍କୁଲ,କଲେଜ ପିଲା ମାନଙ୍କ ପାଇଁ ଅନେକ ଆର୍ଥିକ ପ୍ରୋତ୍ସାହନ ଯୋଗାଉଛନ୍ତି। ତେଣୁ ବ୍ୟାଙ୍କ ଗୁଡିକରେ ମହିଳା ଓ ସ୍କୁଲ ପିଲାଙ୍କ ଭିଡ଼ ବିଶେଷ ଭାବେ ପରିଲକ୍ଷିତ ହେଉଥିବା ବେଳେ ବ୍ୟାଙ୍କର ନାନାଦି ସମସ୍ୟା ସେମାନଙ୍କୁ ଭାରାକ୍ରାନ୍ତ କରୁଛି। ତେଣୁ ଏହା ଉପରେ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ