ପୂର୍ତ୍ତ ବିଭାଗ ରାସ୍ତା ମରାମତି ଦାବି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ପାଳଦାବାଙ୍କ ଠାରୁ ପଡୋଶୀ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ୧୩କିମି ଦୈର୍ଘ୍ୟ ବିଶିଷ୍ଟ ପୂର୍ତ୍ତ ବିଭାଗ ରାସ୍ତାଟିର ଏବେ ଦୁଇ ତିନୋଟି ସ୍ଥାନ ଯାତାୟତ ଅନୁପଯୋଗୀ ହୋଇଗଲାଣି। ଦୀର୍ଘଦିନ ହେବ ରାସ୍ତାର ପଟାପୋଲ ଠାରେ ପ୍ରାୟ ୧୫ଫୁଟ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ବେଳେ ତାହାକୁ ନେଇ ତୁମ୍ଭି ତୋଫାନି ଉଡିଥିଲା। ବହୁ ବାଦବିବାଦ ମଧ୍ୟରେ ସେଠାରେ ଏବେ ରାସ୍ତା କାର୍ଯ୍ୟ ନିର୍ମାଣ ହୋଇଛି। ଅନୁରୂପ ଭାବେ ଷୋଳମପୁର ପଞ୍ଚାୟତ ଖପୁରିଆପଦା ସ୍ଥିତ କରଞ୍ଜିଗଡ଼ିଆ ଠାରେ ପ୍ରାୟ ୨୦ଫୁଟ ଅସମ୍ପୂର୍ଣ୍ଣ ରାସ୍ତାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଛଅ ବର୍ଷ ପୂର୍ବରୁ ରାସ୍ତାର କଂକ୍ରିଟ ନିର୍ମାଣ ବେଳେ ଉକ୍ତ ସ୍ଥାନରେ କିଛି ଛୋଟ ବଡ଼ ସମସ୍ୟା ଦେଖାଦେଇଥିଲା। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇ ରାସ୍ତାକୁ ଅସମ୍ପୂର୍ଣ୍ଣ କରିଥିବାରୁ ବର୍ଷ ବର୍ଷ ଧରି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରା ସମୟକୁ ଛାଡିଦେଲେ ବର୍ଷା ଚାରି ମାସ ୨୦ଫୁଟ ଅସମ୍ପୂର୍ଣ୍ଣ ରାସ୍ତା ପଥଚାରୀଙ୍କ ପାଇଁ ମରଣଯନ୍ତା ସଦୃଶ ହୋଇଛି। ରାସ୍ତା ଦେଇ ଦୈନନ୍ଦିନ ଭାରିଯାନ ଯାତାୟତ କରୁଥିବା ବେଳେ ଉକ୍ତ ସ୍ଥାନଟି ଏବେ ପୋଖରୀ ସଦୃଶ ହୋଇଗଲାଣି। ଫଳରେ ସାଇକେଲ, ମୋଟର ସାଇକେଲ ଯାନ ସହିତ ଛୋଟମୋଟ ଯାନ ଗୁଡିକ ଯାତାୟତ ପାଇଁ ଘୋର ବାଧା ସୃଷ୍ଟି ହେଉଛି। ବୈତରଣୀ ନଦୀରେ ବନ୍ୟା ଆସିଲେ କଣ୍ଟିଘାଇ ଦେଇ ଆସୁଥିବା ପାଣି ଏହି ବାଟଦେଇ ଯାଉଥିବାରୁ ଏଠାରେ ନିଶ୍ଚିତ ଯେ ଘାଇ ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ତାହା ଏଯାଏଁ ସଫଳ ହୋଇପାରିନାହିଁ। ତେଣୁ ଏହା ଉପରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।