ଛୁଟିରେ ରହିବେ ଶିକ୍ଷକ, ଶିକ୍ଷୟତ୍ରୀ, ବନ୍ଦ ହେବ ଶତାଧିକ ସ୍କୁଲ

ହାଟଡିହିି, (ବିକାଶ ବିଶ୍ୱାଳ): ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ଆଜି ଶତାଧିକ ଶିକ୍ଷକ ଧାରଣାରେ ବସିଥିବାବେଳେ ଆସନ୍ତାକାଲି ଠାରୁ ଶିକ୍ଷକମାନେ ସମୁହ ଛୁଟିରେ ରହି ଧାରଣାରେ ବସିବେ ବୋଲି ନିଷ୍ପତି ନେଇଛନ୍ତି । ଫଳରେ ହାଟଡିହି ବ୍ଲକରେ ଶତାଧିକ ସ୍କୁଲରେ ତାଲା ପଡିବାର ସମ୍ଭାବନା ଦେଖା ଦେଇଛି । ବ୍ଲକରେ ମୋଟ ୨୫୦ ସ୍କୁଲରୁ ୨୦୦ପାଖାପାଖି ସ୍କୁଲ ବନ୍ଦ ହୋବାର ଆଶଙ୍କା ଅଛି ବୋଲି ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସୁଚନା ମିଳିଛି । ମୋଟ ୪୬୦ଜଣ ଆନେ୍ଦାଳନରତ ଶିକ୍ଷକଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଧା ୩୦୫ଜଣ ଶିକ୍ଷକ ଛୁଟି ନେଇଥିବା ଜଣାଯାଇଛି । କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟପ୍ରଦାନକରି ମୁଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ନୁତନ ପେନସନ ନୀତିକୁ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଆଦି ଦାବିନେଇ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଅନେକ ଦିନ ହେଲା ଦାବି ହୋଇ ଆସୁଥିଲେ ସୁଧା ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ରାଜ୍ୟସରକାର ଏବେ ୪୦ଟି ବିଭାଗରେ ନିୟମିତ ନିଯୁକ୍ତି ଦେଇଥିବାବେଳେ କେବଳ ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ଦିଆଯାଉଛି । ଯାହାକୁନେଇ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟସରକାର ଶିକ୍ଷକ ସଂଘ ସହିତ ଆଲୋଚନା କରି ୨୮୦୦ଗ୍ରେଡପେ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁ ନାହାନ୍ତି । ଯାହାଫଳରେ ଶିକ୍ଷକମାନେ ନାନା ଦୁଃସ୍ଥିତିରେ କାଳ କାଟୁଛନ୍ତି । ସମାନ କାର୍ଯ୍ୟକୁ ସମାନ ଦରମାର ବ୍ୟବସ୍ଥା କହୁଥିବାବେଳେ ସରକାର ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି ବୋଲି ଶିକ୍ଷକନେତା ମାନେ ମତବ୍ୟକ୍ତ କରିଛନ୍ତି । ଆଜିର ଏହି ଧାରଣାରେ ବ୍ଲକ ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଦୀପ କୁମାର ନାୟକ, ବିବେକାନନ୍ଦ ବେହେରା, ସୁରେନ୍ଦ୍ର କୁମାର ସା, ଶ୍ରୀକାନ୍ତ କୁମାର ସ୍ୱାଇଁ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫୁଲ କୁମାର ସାହୁ, ଅନିରୁଦ୍ଧ ବିଶ୍ୱାଳ, ସୂର୍ଯ୍ୟ ପ୍ରକାଶ ସେଠୀ, ସୁଶାନ୍ତ କୁମାର ଯେନା, ପ୍ରଫୁଲ କୁମାର ମଣ୍ଡଳ, ରାଜକିଶୋର ସ୍ୱାଇଁ, ସୁରେନ୍ଦ୍ରନାଥ ରାଉତ, ଜିତେନ୍ଦ୍ର ବେହେରା, କେଶବ ଚନ୍ଦ୍ର କର, ଅର୍ପିତା ମିଶ୍ର, ରବିନାରାୟଣ ପଲେଇ, ନଳିନୀକାନ୍ତ ମହାନ୍ତି, କ୍ଷେତ୍ରବାସୀ ମିଶ୍ର, ଗଣେଶ ପ୍ରସାଦ କୁଅଁର, ଭକ୍ତ ଚରଣ ଜେନା, ପ୍ରସନ୍ନ ମହାନ୍ତି, ପ୍ରଭାକର ବେହେରା, ପଙ୍କଜ କୁମାର ରାଉତଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ବସିଥିଲେ । ଆସନ୍ତାକାଲି ସମସ୍ତ ଶିକ୍ଷକମାନେ ସାମୁହିକ ଛୁଟିରେ ରହିବେ ବୋଲି ବିଇଓଙ୍କୁ ଛୁଟି ଦରଖାସ୍ତ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ କହିଛନ୍ତି । ଏପରିକି ପିକେଟିଂ କରି ସ୍କୁଲ ବନ୍ଦ କରିବେ ବୋଲି ଶିକ୍ଷକ ନେତାମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ