ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟାସ୍ଥିତ ବ୍ୟାସକବି ନଗର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତ ବିନୋଦ ବିହାରୀ ଦାସଙ୍କ ଉଦ୍ଦେଶ୍ୟରେ ବିକାଶ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଗତ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସ ଦିନ ରାତିରେ ୮୪ ବର୍ଷ ବୟସରେ ତାଙ୍କର ହୃଦଘାତଜନିତ କାରଣରୁ ମୃତ୍ୟୁ ହୋଇଥିଲା । ବସ୍ତା ବ୍ଲକ୍ର ତାଡ଼ଦା ହାଇସ୍କୁଲ୍ରେ ଦୀର୍ଘ ୨୭ବର୍ଷ ଶିକ୍ଷକତା କରି ସ୍ୱର୍ଗତ ଦାସ ନଗ୍ରମର ମା’ ମଙ୍ଗଳା ବାଳିକା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିଲେ । ସ୍ମୃତିଚାରଣ ସଭାରେ ତାଙ୍କର ଛାତ୍ର ତଥା ଆଇନଜୀବୀ ପର୍ଶୁରାମ ପ୍ରଧାନ ସ୍ୱର୍ଗତ ଦାସ ଜଣେ ଛାତ୍ରବତ୍ସଳ ଶିକ୍ଷକଭାବେ ଛାତ୍ରଛାତ୍ରୀ ମହଲରେ ବହୁ ସମ୍ମାନର ଅଧିକାରୀ ଥିଲେ ବୋଲି କହିଥିଲେ । ତାଙ୍କର ଦେହାନ୍ତ ଦିନ ସକାଳେ ବହୁ ପୁରାତନ ଛାତ୍ର ପ୍ରତିବର୍ଷଭଳି ସ୍ୱର୍ଗତ ଦାସଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥିଲେ ବୋଲି ସେ ପ୍ରକାଶ କରି ଭାବବିହ୍ୱଳ ହୋଇ କାନ୍ଦିପକାଇଥିଲେ । ଏହି ସଭାରେ ପରିଷଦର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ପରିଷଦ ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ, ଅଖିଳ କୁମାର ଦାସ, ମନୋଜ ନାୟକ, ସରସ୍ୱତୀ ପଣ୍ଡା, ଇଂ. ଡମ୍ବରୁଧର ପ୍ରଧାନ ଓ ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୁଖ ସ୍ୱର୍ଗତ ଦାସ ଜଣେ ଉତ୍ତମ ପଡ଼ୋଶୀ ଓ ଜଣେ ଆଦର୍ଶ ଶିକ୍ଷକଭାବେ ସମସ୍ତଙ୍କର ସମ୍ମାନନୀୟ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରକାଶ କରିଥିଲେ ଓ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ସ୍ୱର୍ଗତ ଦାସଙ୍କ ପରିବାର ପକ୍ଷରୁ ତାଙ୍କ ଝିଅ ବନଶ୍ରୀ ମହାନ୍ତି ଓ ପୁତୁରା ସୁମନ୍ତ ଗିରିଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଏହି ସଭାରେ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ଆରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ନିହାରିକା ପଟ୍ଟନାୟକ ପରିଷଦ ପକ୍ଷରୁ ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣାଇଥିଲେ ।