୧୦ ଦଫା ଦାବି ନେଇ କୋଣାର୍କ ଏନଏସି ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶନିବାର ପୂର୍ବାହ୍ନ ସମୟରେ ଓଡିଶା କ୍ଷୁଦ୍ର ରାସ୍ତାପାର୍ଶ୍ବ ଉଠା ବ୍ଯବସାୟୀ ସଂଘ, କୋଣାର୍କ ଶାଖା ପକ୍ଷରୁ ୧୦ ଦଫା ଦାବି ପୂରଣ କରିବା ପାଇଁ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବରରୁ ପ୍ରକାଶ ଯେ ଓଡିଶା କ୍ଷୁଦ୍ର ରାସ୍ତାପାର୍ଶ୍ବ ଉଠା ବ୍ଯବସାୟୀ ସଂଘ କୋଣାର୍କ ଶାଖା ସଭାପତି ଲକ୍ଷ୍ମୀଧର ସ୍ବାଇଁଙ୍କ ନେତୃତ୍ବରେ ଶାଖାର କର୍ମକର୍ତ୍ତା ମାନେ କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ୧୦ ଦଫା ଦାବି ପୂରଣ କରିବା ପାଇଁ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ। ପରେ ପରେ ଶୋଭାଯାତ୍ରା କାରୀ କୋଣାର୍କ ଏନଏସି ଅଫିସ ସମ୍ମୁଖରେ ଦାବି ପୂରଣ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ଉପସଭାପତି ପ୍ରଦୀପ୍ତ କୁମାର ମହାନ୍ତି, ବରିଷ୍ଠ ଶ୍ରମିକ ନେତା ମନୋରଞ୍ଜନ ପରିଡା, ଅଖିଳ ଭାରତ କୃଷକ ସଭାର ପୁରୀ ଜିଲ୍ଲା ସଂପାଦକ ବ୍ରଜବନ୍ଧୁ ପରିଡା, ଶ୍ରମିକ ନେତା ପ୍ରସନ୍ନ ଦାସ, କୋଣାର୍କ ଶାଖାର ସଂପାଦକ ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗଦେଇ ରାସ୍ତାପାର୍ଶ୍ବ ଉଠା ବ୍ଯବସାୟୀ ସଂଘ କୋଣାର୍କ ଶାଖାର ୧୦ ଦଫା ଦାବି ଯଥା ଏଆଇଟିୟୁସି କାର୍ଯ୍ୟାଳୟ କୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ, ରାସ୍ତାପାର୍ଶ୍ବ ଉଠା ବ୍ଯବସାୟୀ ମାନଙ୍କର ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କର ପ୍ରସ୍ତାବିତ ଆଇନ କୁ କୋଣାର୍କ ଏନଏସି ପକ୍ଷରୁ ଅନୁକରଣ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ବୀକୃତି ପ୍ରାପ୍ତ ଓଡିଶା କ୍ଷୁଦ୍ର ରାସ୍ତାପାର୍ଶ୍ବ ଉଠା ବ୍ଯବସାୟୀ ସଂଘ କୋଣାର୍କ ଶାଖାର ଅନ୍ଯୁନ ୩ଜଣ ପ୍ରତିନିଧି ଟାଉନ ଭେଣ୍ଡିଂ କମିଟି ସାମିଲ କରିବା, ରାସ୍ତାପାର୍ଶ୍ବ ଉଠା ବ୍ଯବସାୟୀ ସଂଘ କୋଣାର୍କ ଶାଖାର କର୍ମକର୍ତ୍ତା ମାନଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରିବା, ବ୍ଯବସାୟୀ ମାନଙ୍କୁ ଥଇଥାନ ନିମନ୍ତେ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିବା, ପର୍ଯ୍ୟଟକ ମାନଙ୍କ ହିତ ନିମନ୍ତେ ରାସ୍ତାର ମଧ୍ଯ ଭାଗରେ ବ୍ଯବସାୟ କରୁଥିବା ବ୍ଯବସାୟୀ ମାନଙ୍କୁ ହଟାଇ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା, ବ୍ଯବସାୟୀ ମାନଙ୍କୁ ଟ୍ରେଡ ଲାଇସେନ୍ସ ଓ ପରିଚୟ ପତ୍ର ପ୍ରଦାନ, ବ୍ଯବସାୟୀ ମାନଙ୍କୁ ସୂଧ ମୁକ୍ତ ରଣ ପ୍ରଦାନ ଏବଂ ଯେଉଁ ବ୍ଯବସାୟୀଙ୍କ ଠାରୁ ନିୟମିତ ଟିକସ ଆଦାୟ ଆଦି ୧୦ ଦଫା ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉର୍ଦେଶରେ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଶାଖାର ଅଂଗଦ ମଲ୍ଲିକ, ଶଶାଙ୍କ ନାୟକ, ସୁବାସ ବେହେରା, ରାଜ କିଶୋର ପରିଡା ସମେତ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ।