ଭବିଷ୍ୟନିଧି ପେନ୍‌ସନ୍‌ଭୋଗୀଙ୍କ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ଭବିଷ୍ୟନିଧି ପାଣ୍ଠିରୁ ମାସିକ ପେନସନ୍ ପାଉଥିବା ଅବସରପ୍ରାପ୍ତ ଶତାଧିକ କର୍ମଚାରୀ ଫକୀରମୋହନ ଗୋଲେଇ ନିକଟରେ ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ର ରଖି ଶୁକ୍ରବାର ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଗଣଧାରଣାରେ ବସିଥିଲେ । ସର୍ବନିମ୍ନ ମାସିକ ପେନସନ୍ ଏକ ହଜାରରୁ ୯ ହଜାର ଟଙ୍କା, ମହଙ୍ଗାଭତ୍ତା, ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଅଧିକ ବେତନ ପାଇଥିବା କର୍ମଚାରୀଙ୍କୁ ବେତନ ଅନୁପାତରେ ଅଧିକ ପେନସନ୍ ପ୍ରଦାନ ନୀତିର ସରଳୀକରଣ ଓ ସରକାରୀ ଚିକିତ୍ସାବୀମା ପ୍ରଦାନ ଦାବିରେ ଏହି ଗଣଧାରଣା ଦିଆଯାଇଥିଲା । ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍‌ର ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଗଣଧାରଣା ଦିଆଯାଇଛି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।ଜିଲ୍ଲା ସଭାପତି ଇଂ. ଅନାଦି ଚରଣ ବେହେରା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଣଧାରଣାରେ ଯୋଗ ଦେଇଥିବା ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଜଳଧର ପଣ୍ଡାଙ୍କ ସମେତ ମାୟାଧର ନାୟକ, ସନାତନ ଜଳଦାସ, ଭୂପତି ଭୂଷଣ ଦାସ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ମାସିକ ମାତ୍ର ଏକ ହଜାର ଟଙ୍କା କିମ୍ବା ତହିଁରୁ କମ୍ ପରିମାଣର ପେନ୍‌ସନ୍‌ଭୋଗୀଙ୍କ କରୁଣ କାହାଣୀ ଉପସ୍ଥାପିତ କରିଥିଲେ । ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚରୁ ସୀତାରାମ ପ୍ରଧାନ, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘରୁ ବଳରାମ ବେହେରା, ସିଆଇଟିୟୁ ନେତା ବିଜୟ ପାତ୍ର, ଏଆଇଟିୟୁସି ନେତା ଭାଗବତ ପ୍ରତିହାରୀ, ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, କୃଷକ ନେତା ଅରୁଣ ଜେନା ପ୍ରମୁଖ ଧାରଣାସ୍ଥଳରେ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କର ଅବିଚାରକୁ ଦୃଢ଼ ନିନ୍ଦା କରିଥିଲେ । ଏହି ବରିଷ୍ଠ ନାଗରିକମାନଙ୍କ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ପୂରଣ କରିବାକୁ ସେମାନେ ଦାବି କରିଥିଲେ । ଉପସ୍ଥିତମାନଙ୍କୁ ଶରତ ଦଳେଇ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ