ଝାରପଡା ଜେଲରେ ବୁଗୁଡାର ପୂର୍ବତନ ତହସିଲଦାର
ବୁଗୁଡା, (ଅନିଲ କୁମାର ମହାରଣା):ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଗିରଫ ହୋଇ ଝାରପଡା ଜେଲରେ ଭର୍ତ୍ତି ହୋଇଛନ୍ତି ବୁଗୁଡାର ପୂର୍ବତନ ତହସିଲଦାର ଓଏଏସ ଅଫିସର ସଂଗ୍ରାମ କେଶରୀ ଜେନା। ଦିନ ଥିଲା ବୁଗୁଡାରେ ଦୁଇଟି ଦୁଧିଆଳି ଗାଈର ମାଲିକ ଥିଲେ ବାବୁ ସଂଗ୍ରାମ କେଶରୀ ଜେନା। ଗୋଟିଏ ହେଲା ବୁଗୁଡା ତହସିଲ ଅଫିସ ଓ ଅନ୍ୟଟି ହେଲା ସବରେଜିଷ୍ଟ୍ରି ଅଫିସ। ସଂଗ୍ରାମ କେଶରୀ ଜେନା ବୁଗୁଡା ତହସିଲଦାର ଭାବେ କାର୍ଯ୍ୟ କରିବା ସହ ସବାରେଜିଷ୍ଟ୍ରି ଅଫିସର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରି ହୋଇଯାଇଥିଲେ ମାଲଦାର ବାବୁ। ଅତିରୁ ଇତି। ଭିଜିଲାନ୍ସ ରେଡ ପରେ ଜଣାପଡିଛିଯେ ବର୍ତ୍ତମାନ ଭୁବନେଶ୍ୱର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ତଥା ବୁଗୁଡାର ପୂର୍ବତନ ତହସିଲଦାର ସଂଗ୍ରାମ କେଶରୀ ଜେନା ୧୮୭ ପ୍ରତିଶତ ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି। ଦୁର୍ନୀତି ନିବାରଣ ବିଭାଗ ତାଲିକା ପ୍ରକାରେ ବାଲୁଗାଁ ଜେନା କଲୋନୀର ପ୍ଲଟ ନଂ ୨୪୧ ଜମିରେ ୭୫୫୪ ବର୍ଗଫୁଟ ସ୍ଥାନରେ ନିର୍ମାଣ ହୋଇଛି ଏକ ତିନି ମହଲା କୋଠା। ଯାହାର ମୂଲ୍ୟ ୧.୩୬ କୋଟି ଟଙ୍କା। ଟାଙ୍ଗି ହରିପୁରରେ ୨୭୦୦ ବର୍ଗଫୁଟ ଜାଗାରେ ଏକ କୋଠା। ବାଣପୁର ସହରର ଛୋଟରାୟପୁର ଶାସନରେ ଚାରିଗୋଟି ପ୍ଲଟ। ବାଲୁଗାଁ ରାମପୁର ମୌଜାରେ ପ୍ଲଟ ନଂ ୮୪ ପ୍ରକାରେ ୪୩୦ ଡ଼ିସିମିଲ ଜମି କ୍ରୟ କରିବା ପାଇଁ ୧୧ ଲକ୍ଷ ଟଙ୍କା ଦେଇଛନ୍ତି ଆଡମାନସ। ବ୍ୟାଙ୍କ, ପୋଷ୍ଟାଲ ପ୍ରଭୃତିରେ ଜମା ୨୧.୪୬ ଲକ୍ଷ ଟଙ୍କା। ଘରେ ଥିଲା ନଗଦ ୮୫ ହଜାର ଟଙ୍କା। ୩ ଟି ଚାରି ଚକିଆ ଗାଡି ଓ ୨ ଟି ଦୁଇ ଚକିଆ ଗାଡ଼ି, ଯାହାର ମୂଲ୍ୟ ୩୮.୨୯ ଲକ୍ଷ । ସୁନା ଅଳଙ୍କାର ଓ ଘରୋଇ ଉପକରଣ ୧୧.୦୫ ଲକ୍ଷ ଟଙ୍କା। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପିଏସ କେଶ ନଂ ୨୪, ତାରିଖ ୧୫/୯/୨୩ , ଦଫା ୟୁ/ଏସ ୧୩(୨) ୧୩(୧(ବି) ପିସି ସଂଶୋଧନ ଆଇନ୨୦୧୮ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇ ଓଏଏସ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ବେଲ ଆବେଦନ ଖାରଜ ହେବାପରେ ଶ୍ରୀ ଜେନାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।