ସାକ୍ଷରତା ହିଁ ସଶକ୍ତିକରଣର ଅମୋଘ ଅସ୍ତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):“ଆଇନଗତ ସାକ୍ଷରତା ମାଧ୍ୟମରେ ଓଡ଼ିଶାରେ ମହିଳା ସଶକ୍ତିକରଣ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ୟୁଏସ୍ କନସୁଲେଟ୍ ଜେନେରାଲଙ୍କ ସହାୟତାରେ ‘ସ୍ୱାତୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ମହିଳାମାନେ ଯେତେ ସାକ୍ଷର ହେବେ ସେତେ ସୁରକ୍ଷିତ ରହିବେ । ମହିଳା ସଶକ୍ତିିକରଣ ପାଇଁ ଆଇନଗତ ସାକ୍ଷରତା ଓ ସଚେତନତା ଅତ୍ୟନ୍ତ ଜରୁରୀ । ଏହି କର୍ମଶାଳାରେ ମଧ୍ୟ ଉପସ୍ଥିତ ଥିଲେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଯୋଜନା ତଥା ସୁରକ୍ଷା ଅଧିକାରୀ ସଂଯୁକ୍ତା ମିଶ୍ର । ଏହି କର୍ମଶାଳାରେ ଯୋଗ ଦେଇ ସୁଜାତା ମହାପାତ୍ର ଏବଂ ସତ୍ୟଜିତ୍ ପ୍ରତିହାରୀ ଆଲୋଚ୍ୟ ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ । ଘରୋଇ ହିଂସା, ବାଲ୍ୟ ବିବାହ, ଯୌତୁକ ନିର୍ଯ୍ୟାତନା ଆଦି ବିଭିନ୍ନ ପ୍ରସଙ୍ଗର ଆଇନଗତ ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ସଚେତନତା ବାର୍ତ୍ତାକୁ କିପରି ଗ୍ରାମାଂଚଳରେ ପହଂଚାଇ ହେବ ଏବଂ ମହିଳାମାନେ ଅଧିକରୁ ଅଧିକ ସଚେତନ ହୋଇପାରିବେ ସେ ନେଇ ମଧ୍ୟ ବିଷଦଭାବେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱାଧାର ଗୃହ ଓ ଶଖୀ ସେଂଟର୍ ସଦସ୍ୟାଙ୍କ ସମେତ ଆଶା, ଅଙ୍ଗନୱାଡ଼ି, ଏମ୍ବିକେ, ସରପଂଚ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମମର୍ତ୍ତା ସାମିଲ୍ ହୋଇଥିଲେ । ଉଦ୍ଯାପନୀ ଉତ୍ସବରେ ଅତିଥିମାନେ ସମସ୍ତଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଶେଷରେ ଭାଗବତପୁର ଗ୍ରାମପଂଚାୟତ ସରପଂଚ ପ୍ରିୟଙ୍କା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।