ବାଲେଶ୍ଵରରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ ଓ ଲାଭାର୍ଥୀ
ବାଲେଶ୍ଵର, (ସରୋଜ ପଣ୍ଡା):ଦେବଶିଳ୍ପୀ ଭଗବାନ ବିଶ୍ଵକର୍ମାଙ୍କ ଜନ୍ମ ଦିବସରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ‘ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା’ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଉଦଘାଟନୀ କାର୍ଯ୍ଯକ୍ରମ ସମଗ୍ର ଦେଶର ବିଭିନ୍ନ ସହରରେ ଆଭାସି ମାଧ୍ୟମରେ ଆୟୋଜିତ କରାଯାଇଥିଲା, ସେହି କ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ବାବଧାନରେ ବାଲେଶ୍ଵର ଗାନ୍ଧୀସ୍ମୁତି ଭବନରେ ଏକ ସୁରମ୍ୟ କାର୍ଯ୍ଯକ୍ରମ ସହିତ ଯୋଜନାର ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଧୋବା, ବାରିକ, ମୋଚି, କମାର, କୁମ୍ଭାର, ପଥର କାରିଗର, କଣ୍ଢେଇ କାରିଗର, ଜାଲ ବୁଣାଳୀ, ମିସ୍ତ୍ରୀ ଇତ୍ୟାଦି ଅଠର ପ୍ରକାରର ପାରମ୍ପରିକ ଓ କୌଳିକ ବୃତ୍ତି କରୁଥିବା ବର୍ଗର ଲୋକମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଯୋଗ୍ଯ ବିବେଚିତ ଲାଭାର୍ଥୀଙ୍କୁ ବୃତ୍ତି ଅନୁସାରେ ଯନ୍ତ୍ରାଂଶ କିଣିବାରେ ୧୫୦୦୦ ଟଙ୍କାର ସହାୟତା ତତପଶ୍ଚାତ୍ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ସମୟରେ ଦୈନିକ ୫୦୦ ଟଙ୍କା ଭତ୍ତା ସହିତ ବିନା ଗ୍ୟାରେଣ୍ଟିରେ ପ୍ରଥମେ ୫% ସୁଧ ହାରରେ ଏକ ଲକ୍ଷ ୠଣ ପ୍ରଦାନ କରାଯିବାର ପ୍ରାବଧାନ ରହିଛି। ଉତ୍ପାଦଗୁଡିକର ବିତରଣର ବ୍ୟବସ୍ଥା ମଧ୍ୟ କରାଯିବ। ଉଚିତ ସମୟରେ ୠଣ ପରିସୋଧ କଲେ ପରବର୍ତ୍ତୀ ସମୟରେ ୨ ଲକ୍ଷ ୠଣ ମିଳିପାରିବ। ଆଜିର କାର୍ଯ୍ଯକ୍ରମରେ ଜିଲ୍ଲାର ଏହି ସମସ୍ତ ବୃତ୍ତିରେ ଯୁକ୍ତ ଥିବା ସଂଗଠନର କର୍ମକର୍ତ୍ତା ଯୋଗଦାନ କରିଥିଲେ, ମୋଟ ୪୬୫ ଜଣ ବ୍ଯକ୍ତି ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କାର୍ଯ୍ଯକ୍ରମ ଉଦ୍ଘାଟିତ ହେବା ପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ଲାଭାର୍ଥୀଙ୍କୁ ଯୋଜନାର ସମସ୍ତ ଦିଗ ବିଷୟରେ ସୂଚନା ଦେଇଥିଲେ। ଉପସ୍ଥିତ ଲାଭାର୍ଥୀମାନେ ଏକ ସ୍ଵରରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ସମାଜ ନିର୍ମାଣରେ ଆବାହମାନ କାଳରୁ ନିୟୋଜିତ ଏହି ବ୍ଯକ୍ତି ବର୍ଗଙ୍କ ବିଷୟରେ କୌଣସି ସରକାର କେବେହେଲେ ଚିନ୍ତିତ ନଥିଲେ କି ସମ୍ମାନିତ କରିନଥିଲେ। ପ୍ରଧାନମନ୍ତ୍ରୀ ଆଜି ସେହି ବର୍ଗର ଲୋକମାନଙ୍କୁ ବିଶ୍ଵକର୍ମାର ଆଖ୍ଯା ଦେଇ ଏକ ସ୍ବତନ୍ତ୍ର ପରିଚୟ ସହିତ ସ୍ବାବଲମ୍ବୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବାରୁ ସମବେତ ଲାଭାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ନିଳଗିରୀ ବିଧାୟକ ସୁକାନ୍ତ ନାୟକ, ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଷୁସମା ରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପ୍ରଦୀପ ପଣ୍ଡା, ଇଶ୍ଵର ଚନ୍ଦ୍ର ବେହେରା, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସହସଂଯୋଜକ ରଞ୍ଜିତ ପୁଷ୍ଟି, ଅରୂପ ଜେନା,ସମ୍ପାଦକ ଆଶିଷ ଘୋଷ, ବିଜୟ ସାହୁ, ଉପସଭାପତି କମଲଲୋଚନ ଦାସ, ମମତା ମହାପାତ୍ର, ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ସଞ୍ଜିବ ସାହୁ, ତାପସ ମହାନ୍ତି, ମନୀଷା ବେହେରା, ନାରାୟଣ ମହନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ