ଆନ୍ତର୍ଜାତୀୟ ଶାନ୍ତି ଦିବସ

ଦଶହରା, ଦୀପାବଳି ପରି ଅନେକ ଦିବସ ପାଳନ ହେଉଛି, ପିତୃ-ମାତୃ ଦିବସଠାରୁ ପ୍ରେମ ଦିବସ ଯାଏଁ । ଏ ସବୁ ଦିବସ ପାଳନର ନିଶ୍ଚିତ କିଛି ଉଦ୍ଦେଶ୍ୟ ରହିଛି । ସେପ୍ଟେମ୍ବର ୨୧ ତାରିଖ ଆନ୍ତର୍ଜାତୀୟ ଶାନ୍ତି ଦିବସ । ୧୯୮୧ ମସିହା ମହାସଭାରେ ସଂଯୁକ୍ତ ରାଷ୍ଟ୍ର ଏହି ଦିବସ ସମସ୍ତଙ୍କ ଦ୍ୱାରା ପାଳିତ ହେବା ଲାଗି ପାରିତ ହୋଇଥିଲା । ସେତେବେଳେ ଶାନ୍ତିକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନ ଦେବାଲାଗି ଏବଂ ମଣିଷ ପଣିଆରେ ନିଆଯାଇଥିବା ଛୋଟ ଛୋଟ ପଦକ୍ଷେପ ଗୁଡିକୁ ସର୍ବଲୋଚନକୁ ଆଣିବା ଥିଲା ମୂଳ ଲକ୍ଷ୍ୟ ।ହେଲେ ଏଠି ପ୍ରଶ୍ନ ଉଠେ ଶାନ୍ତି କ’ଣ? ଏହା କ’ଣ ଗୋଟେ ପର୍ବ ଯେ ଅନ୍ୟଠାରୁ ଦେଖି ଶିଖି ହେବ? ଏହାର ସଂଜ୍ଞା ସମସ୍ତଙ୍କ ଲାଗି ଭିନ୍ନ ନିଶ୍ଚିତ । ମଣିଷ ତ ବୁଝିହେଲା, ଭାରତ ଏଥିରେ ଏକ ନମ୍ବର । ହେଲେ ମଣିଷ ପଣିଆରେ ଆମ ସ୍ଥାନ କେଉଁଠି!ଭୋକିଲାକୁ ଦୁଇମୁଠା ଖାଦ୍ୟରେ ଶାନ୍ତି ମିଳେ, କୋଟିପତିକୁ ନିଜ ନାମ ସଫଳ ବ୍ୟକ୍ତିତ୍ୱ ତାଲିକାରେ ଦେଖିଲେ ଶାନ୍ତି ମିଳୁଥିବ, ଯେଉଁଟାକି ପଞ୍ଚତାରକା ହୋଟେଲର ଖାଦ୍ୟ ମଧ୍ୟ ଦେଇପାରୁନଥିବ । ରାସ୍ତାରେ ଜରିଗୋଟାଳି ଛୁଆଟିକୁ ଦଶଟଙ୍କା କଏନଟି ଶାନ୍ତି ଦେଉଥିବ, ଅପରପକ୍ଷେ ବଡ ବଡିଆ ଛୁଆକୁ ପକେଟ ମନିରେ ଦୁଇଶହର ନୋଟ୍ ଟେ ବି ଅଶାନ୍ତି ଲାଗୁଥିବ ।ତା’ମାନେ ମନକୁ ଆନନ୍ଦିତ କରୁଥିବା କାର୍ଯ୍ୟ ଆମକୁ ଶାନ୍ତି ଦେଇଥାଏ । ହେଲେ ଭାବିଲେ ଏ ଦୁନିଆର ଶତକଡା ଶହେ ଭାଗ ଲୋକ ଦୁଃଖି ନୁହଁନ୍ତି କି? କାହାର ପୁଅ ନାହିଁ ଦୁଃଖି, କାହାର ପୁଅ-ଝିଅ କମ୍ ନମ୍ବର ରଖିଲେ ଦୁଃଖି, କାହାର ବା କିଛି ରୋଗ-ବ୍ୟାଧି ଲାଗି ଦୁଃଖି, ଏ ତ ଶତକଡା କୋଡିଏ ଭାଗ ଲୋକଙ୍କ ଦୁଃଖ, ତ ବାକି ଅଶୀ ପ୍ରତିଶତ କାହିଁକି ଦୁଃଖି? ହଁ ବାକି ଅଶୀ ପ୍ରତିଶତ ଅନ୍ୟକୁ ସୁଖି ଦେଖି ଦୁଃଖି, ନିଜ ସହ ଅନ୍ୟକୁ ତୁଳନା କରି ଆମେ ଅଶାନ୍ତିକୁ ଡାକୁଛେ । ଶାନ୍ତି ଦିବସରେ ତ ଅନେକ ଶପଥ ନେଉଛେ ବିଶ୍ୱଶାନ୍ତି ଲାଗି, ହେଲେ ଗୋଟେ ଗୋଟେ ମଣିଷ, ମଣିଷରୁ ପରିବାର, ସମାଜ, ରାଜ୍ୟ, ଦେଶ ତା’ପରେ ବିଶ୍ୱ । ଖାଲି ଦିବସରେ ଶପଥ ଦୋହରାଇ ତା’ପରଦିନ ହିଁ ଭୁଲିଗଲେ ଏ ଦିବସ ପାଳନର ଉଦ୍ଦେଶ୍ୟ କେବେ ବି ସଫଳ ହେବନାହିଁ । ଯେତେବେଳେ ସ୍କୁଲ ଯାଉଥିବା ଛୁଆ ମଧ୍ୟାହ୍ନ ଭୋଜନ ଲାଗି ନୁହେଁ, ଶିକ୍ଷା ଅର୍ଜନ ଲାଗି ସ୍କୁଲ ଯିବ, ଯେବେ ଚାଷୀଟେ ଋଣ ଭାରରେ ମୃତ୍ୟୁକୁ ଆବୋରିବା ଆଗରୁ, ବଡ ବଡ ଶିଳ୍ପପତିଙ୍କ ଋଣଛାଡ ବନ୍ଦ ହେବ, ଯେବେ ନାରୀ ସଶକ୍ତିକରଣ ନାଁରେ ମହିଳାମାନେ ନିୟମର ଦୁରୁପଯୋଗ ବନ୍ଦ କରିବେ, ଯେବେ ଯୌତୁକ ଜୁଇରେ ଜଳୁଥିବା ବଧୁଟେ ଲାଗି ପୁରା ସମାଜ ସୁରକ୍ଷା କବଚ ସାଜିବ, ଯେତେବେଳେ ଡାକ୍ତରଟେ ରୋଗୀ ଚିକିତ୍ସା ବେଳେ ମାଡ ଭୟରୁ ମୁକ୍ତ ହେବ, ଯେତେବେଳେ ଆତ୍ମସନ୍ତୋଷ, ଭଗବତ ବିଶ୍ୱାସ ବଢ଼ିବ ସେତେବେଳେ ହିଁ ଶାନ୍ତି ପ୍ରକୃତରେ ଗୋଟେ ପାଳନୀୟ ଦିବସ ନ ହୋଇ ଗୋଟେ ଅନୁଭୁତି ହେଇପାରିବ ।କଥାରେ ଅଛି ସୁଖର ସାଥି ସଭିଏଁ, ଦୁଃଖରେ କେହି ନୁହେଁ । ଏଇ ୟୁକ୍ରେନ କଥା ଦେଖନ୍ତୁ, ଗୋଟେ ଦେଶର ଅର୍ଥନୀତି ଠାରୁ ମାନବ ସମ୍ବଳ ସବୁ ଧ୍ୱଂସ ହୋଇଗଳା, ସେତେବେଳେ କ’ର କେଉଁ ବି ରାଷ୍ଟ୍ରର ଶାନ୍ତି ଦିବସରେ ନେଇଥିବା ଶପଥ “ଭିନ୍ନ ଏକ ରାଷ୍ଟ୍ରନିର୍ମାଣ” କଥା ମନେ ପଡିଲାନି । କୁନି-କୁନି ପିଲାଠୁ ବୟସ୍କ ମାଟିରେ ମିଶିଗଲେ । ଆଉ ଆମେ ମହମବତୀ ଧରି ରାଜରାସ୍ତାରେ ଆତ୍ମାର ସଦ୍‌ଗତି କାମନା କରିବସିଲେ । ଭଗବତ ବିଶ୍ୱାସ କମୁଛି, ବୃଦ୍ଧାଶ୍ରମ ବଢ଼ୁଛି । ବେଟି ବଚାଓ ବେଟି ପଢ଼ାଓ ନାରା ବଢ଼ୁଛି ଆଉ ତିନିବର୍ଷର ଛୁଆ ଯୌନପିପାଶୁ ହାତରେ ବଳି ପଡୁଛି । ସମ୍ପତି ଲାଗି ପୁଅ-ବାପକୁ ହାଣୁଛି । ନବିକରଣ ନାଁରେ ଜଙ୍ଗଲ କଟା ଚାଲିଛି । ଆଜି ମଣିଷ ସତରେ ମଣିଷ ପଣିଆ ଭୂଲି ଭୁଲି ଚାଲିଛି । ତ କେବେ ଆଉ ଆମେ ଚେତିବା! ପୃଥିବୀ ଧ୍ୱଂସ ମୁଖରେ, ଭଗବାନ ମଝି ମଝି ଚେତଉଛନ୍ତି ମଧ୍ୟ, କେତେବେଳେ ଅଜଣା ରୋଗ, କେତେବେଳେ ସୁନାମି ତ କେତେବେଳେ ଦୁର୍ଘଟଣା ଆମକୁ ସୁଯୋଗ ଦେଉଛନ୍ତି ସୁଧୁରି ଯିବା ଲାଗି, ହେଲେ ଆମେ ପରା ଶ୍ରେଷ୍ଠ ଜନ୍ମ ମଣିଷ ଭୁଲି ମାନିଗଲେ ଆମେ ଛୋଟ ହେଇଯିବାନି!ଶାନ୍ତି ଦିବସ ଖାଲି ଦିବସ ହେଇ ନରହୁ, ସମସ୍ତେ ନିଜ ନିଜ ଦାୟୀତ୍ୱ ବୁଝି ପରିବର୍ତ୍ତନର ଅଂଶ ହେବାକୁ ପଡିବ । ଆମକୁ ଭଲ ପ୍ୟାକେଜ୍‌ର ଦରମା ଦରକାର, ସବୁଜିମା ଭରା ଅଗଣା ଦରକାର, ଶାଶୁ-ଶ୍ୱଶୁର ନଥିବା ଜ୍ୟୋଇଁ ଦରକାର, ଗୋଟେ ଚାଉଳେ ଗଢ଼ା ବୋହୁ ବି ଦରକାର । ସବୁ ଆମକୁ ଦରକାର, ହେଲେ କିଏ ପୁରଣ କରିବ ଆମ ଆବଶ୍ୟକତା?ଆଉ କେମିତି? ଏ ପ୍ରଶ୍ନ ଆଜି ସମସ୍ତେ ପଚାରିବା ଦରକାର, ନିଜକୁ, ନିଜ ଆତ୍ମାକୁ । ନିଜକୁ ବଦଳାଇବାର ଶକ୍ତି ଖାଲି ନିଜ ପାଖରେ ହିଁ ଅଛି । ଆମେ ନିଜକୁ ବଦଳାଇବାର ସଂକଳ୍ପ ନେଇ ଦରକାର ବୋଲି ଅନ୍ୟ ଠାରୁ ଆଶା ନ କରି ନିଜେ ପରିବର୍ତ୍ତନରେ ସାମିଳ ହେଇପାରିଲେ ଏ ଦିବସ ପ୍ରକୃତରେ ଶାନ୍ତି ଦିବସ ।ଶାନ୍ତିର ପ୍ରତିକ ବୁଦ୍ଧଦେବଙ୍କ ଅନୁସାରେ ଖୁସି ପାଇବାର ରାସ୍ତା ନାହିଁ, ଖୁସି ହିଁ ଗୋଟେ ରାସ୍ତା । ଆଜିର ଅବସ୍ଥା ଲାଗି ଆମ ସମସ୍ତଙ୍କ ଅଜ୍ଞତା ଦାୟୀ । ଶାନ୍ତି ଦିବସ ଆମ ସମସ୍ତଙ୍କୁ ଜାଗ୍ରତ କରୁ, ଏହା ଅନ୍ଧାରୀ ଶପତ ମାତ୍ର ହୋଇ ରହିନଯାଉ ।
ଅନାମିକା ଦାସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ