କୁନି ହାତରେ କୁନି ଗଣେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପର୍ଯ୍ୟାବରଣକୁ କ୍ଷତି ନ ପହଞ୍ଚାଇବା ନିମନ୍ତେ ପୂଜା ପାର୍ବଣ ଗୁଡ଼ିକ ପରିବେଶଧର୍ମୀ ହେବା ନିତାନ୍ତ ଜରୁରୀ । ପ୍ରଦୂଷଣମୁକ୍ତ ପୂଜା ସହ ପ୍ରାକୃତିକ ପରିବେଶ ସହ ପ୍ଲାଷ୍ଟିକ ମୁକ୍ତ ପୂଜାର ଲକ୍ଷ୍ୟ ହେଉ । ଏହି କଥାଟିକୁ ଅକ୍ଷର ଅକ୍ଷରେ ଆପଣାଇ ନେଇଛନ୍ତି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ଚିତ୍ରଶାଳାର କୁନି ଚିତ୍ରଶିଳ୍ପୀମାନେ । ମାଟି, ବିଭିନ୍ନ କିସମର ବିହନ ଯଥା: ପଣସ, ତେନ୍ତୁଳି, ସୋରିଷ, ଧନିଆ ଆଦି ବିହନକୁ ବ୍ୟବହାର କରି ଗଢ଼ିଛନ୍ତି ଇକୋ-ଫ୍ରେଣ୍ଡଲି ଗଜାନନଙ୍କ ମୂର୍ତ୍ତି । ପ୍ରାକୃତିକ ସଂଶାଧନରେ ପ୍ରସ୍ତୁତ ଏହି ମୂର୍ତ୍ତି ଗୁଡ଼ିକରେ ନା ଦିଆଯାଇଛି ରାସାୟନିକ ରଙ୍ଗ ନା ବ୍ୟବହାର କରାଯାଇଛି ପ୍ଲାଷ୍ଟିକ ସାମଗ୍ରୀ । ଏହି ମୂର୍ତ୍ତି ବିସର୍ଜନ ପରେ ନଦୀ, ନାଳ ଓ ଜଳାଶୟକୁ ପ୍ରଦୂଷିତ କରିବ ନାହିଁ । ବରଂ ସୁନ୍ଦର ଚାରା ସୃଷ୍ଟି କରିବାରେ ସହାୟକ ହେବ । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ବିଘ୍ନ ବିନାଶକଙ୍କ ମୂର୍ତ୍ତିରେ ଶତାଧିକ ବିହନ ସଂସ୍ଥାପନ କରାଯାଇଛି । ଭାସ୍କର୍ଯ୍ୟ ଶିଳ୍ପୀ ଜୟଦ୍ରଥ ମଣ୍ଡଳ, ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁଙ୍କ ତତ୍ତ୍ୱାବଧାନରେ କୁନି ଶିଳ୍ପୀମାନେ ଆକର୍ଷଣୀୟ ଗଜାନନଙ୍କ ମୂର୍ତ୍ତି ତିଆରି କରିଥିବାର ଜଣାପଡ଼ିଛି । ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବରରେ ଓଡ଼ିଶା ଜଳ ପ୍ରଦୂଷଣ ନିରୋଧ ଓ ନିୟନ୍ତ୍ରଣ ଆଇନ୍ ପ୍ରଣୟନ ନେଇ ବିଜ୍ଞପ୍ତି ଜାରି ହୋଇଥିଲା । କିନ୍ତୁ ଏହି ନିୟମକୁ ମୂର୍ତ୍ତି ନିର୍ମାତା ଓ ପୂଜା କମିଟି ମାନୁନାହାଁନ୍ତି । ନିଷିଦ୍ଧ ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌, ପ୍ଲାଷ୍ଟିକ, ଥର୍ମୋକୁଲ୍‌, ବିଷାକ୍ତ ରାସାୟନିକ ରଙ୍ଗ, ସିନ୍ଥେଟିକ୍‌, ଅଏଲ୍ ପେଣ୍ଟର ବେଧଡ଼କ ରୂପେ ବ୍ୟବହାର ହେଉଛି । ଯାହା ପରିବେଶ ପାଇଁ ଭୟଙ୍କର ବିପଦ ପାଲଟିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି । ମୂର୍ତ୍ତି ତିଆରିରେ କେବଳ ପ୍ରାକୃତିକ ଓ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରାଗଲେ ଆମ ସମାଜର ବିଘ୍ନ ନିଶ୍ଚିତ ରୂପେ ବିନାଶ ହୋଇପାରନ୍ତା ବୋଲି ସୁଶାନ୍ତ କୁହନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ