ସମନ୍ୱିତ ଆୟୁଷ ଚିକିତ୍ସାଳୟ କାର୍ଯ୍ୟ ଆରମ୍ଭ ବିଳମ୍ବ ହେତୁ ଆନ୍ଦୋଳନ ପାଇଁ ସଜବାଜ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୁଷ ବିକାଶ ମଞ୍ଚର ପରିବର୍ଦ୍ଧିତ ବୈଠକ ଡା. ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ତରଫରୁ ଆବଶ୍ୟକୀୟ ଅର୍ଥ ମଞ୍ଜୁର ହୋଇ ଆସିବାର ୬ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉନଥିବାରୁ ସମସ୍ତ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ବାଲେଶ୍ୱରସ୍ଥିତ ଅଧୀକ୍ଷକ ଯନ୍ତ୍ରୀଙ୍କ ପାଖରେ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ଅଟକି ରହିଥିବାର ସୂଚନା ସଭାପତି ସଭ୍ୟମାନଙ୍କୁ ଅବଗତ କରାଇଥିଲେ । ତେଣୁ ବିଶେଷ ଆଲୋଚନା ପରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ଯେ ମଞ୍ଚର ଉପଦେଷ୍ଟା ଡା. ପ୍ରଭାକର ରଥ, ଉପସଭାପତି ହା. ପ୍ରଭାତ କୁମାର ବିଶ୍ୱାଳ, ସମ୍ପାଦକ ହିମାଂଶୁ ଶେଖର ଦାସ ଆସନ୍ତାକାଲି ଅଧୀକ୍ଷକ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦେଖାକରି ସଠିକ୍ ତଥ୍ୟ ଆଣି ଆସନ୍ତା ବୈଠକରେ ସମସ୍ତଙ୍କୁ ଅବଗତ କରାଇବେ । ଉପଦେଷ୍ଟା ଶ୍ରୀ ନିରଞ୍ଜନ ପରିଡ଼ା ଓ ଶ୍ରୀ ସୀତାରାମ ବେହେରା ବାଲେଶ୍ୱର ଠାରେ ପ୍ରସ୍ତାବିତ ଆୟୁର୍ବେଦିକ୍ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପାଇଁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କାହିଁକି ଜାଣିବାକୁ ଚାହିଁଥିଲେ । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ବାଲେଶ୍ୱର ଠାରେ ଆୟୁଷ ମିଶନ୍ ସହାୟତାରେ ଏବଂ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଖୋଲିବା ପାଇଁ ପ୍ରସ୍ତାବ ପଠାଇବା ପାଇଁ ଅନୁରୋଧ କରିଥିବାର ଏକବର୍ଷ ସମୟ ବିତି ଯାଇଥିଲେ ମଧ୍ୟ ଓଡ଼ିଶା ଜାତୀୟ ଆୟୁଷ ମିଶନ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କୁ କୌଣସି ବିଧିବଦ୍ଧ ପ୍ରସ୍ତାବ ପଠାଇନାହାନ୍ତି ବୋଲି ହିମାଂଶୁ ଶେଖର ଦାସ ସୂଚନା ଦେଇଥିଲେ । ତେଣୁ ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପଠାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆୟୁଷ ଚିକିତ୍ସାଳୟ ଓ ପ୍ରସ୍ତାବିତ ମହାବିଦ୍ୟାଳୟ ଯଥାଶୀଘ୍ର ବାଲେଶ୍ୱର ଠାରେ ଖୋଲା ନଗଲେ ବାଲେଶ୍ୱରବାସୀ ତଥା ଆୟୁଷ ବିକାଶ ମଞ୍ଚ ଆନ୍ଦୋଳନକୁ ଆଦରିବ ବୋଲି କର୍ମକର୍ତ୍ତାମାନେ ମତ ରଖିଥିଲେ । ସର୍ବଶେଷରେ ସଭ୍ୟ ଡା. ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଡାକ୍ତର ରୁବି ନାୟକ, ଡା. ଜୟନ୍ତ ପ୍ରଧନା, ଡା. ମଧୁସୂଦନ ଜେନା, ଡା. ପ୍ରଭାକର ରଥ ପ୍ରଭୃତି ସଦସ୍ୟମାନେ ଉପସ୍ଥିତ ଥିଲେ ।