ସ୍ୱଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଉଭୟ ସହର ଓ ଗ୍ରାମୀଣ ପରିବେଶକୁ ପରିଷ୍କାର,ପରିଚ୍ଛନ୍ନ ବଜାୟ ରଖିବା ସହ ଏକ ସୁସ୍ଥ ତଥା ଆବର୍ଜନା ମୁକ୍ତ ଭାରତ ଗଠନ ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି। ଗ୍ରାମାଞ୍ଚଳରେ ରାସ୍ତାଘାଟ, ଜଳାଶୟ,ସର୍ଵସାଧାରଣ ସ୍ଥାନ, ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ସହ ଏକ ଉତ୍ତମ,ପ୍ରଦୂଷଣ ମୁକ୍ତ ଓ ସ୍ବାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଚେତନତା ଅଭିଯାନ ଜାରୀ ରହିଛି।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି କ୍ରମରେ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ।ସ୍ଥାନୀୟ ବ୍ଲକ ରାଳବ ପଞ୍ଚାୟତରେ ମଙ୍ଗଳବାର ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ, କୃଷି ସୂଚନା ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଗନ୍ତାୟତ ଦଳାଇ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ପ୍ରମୁଖ ଯୋଗ ଦେଇଥିଲେ।ସମ୍ପୃକ୍ତ ପଞ୍ଚାୟତରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥା ସର୍ଵ ସାଧାରଣ ବ୍ୟବହୃତ ରାସ୍ତା,ପୋଖରୀ, କୋଠା ,ନାଳ ନର୍ଦ୍ଦମା ଓ ଗୋଷ୍ଠୀ ଶୌଚାଳୟ ଆଦି ସ୍ଥାନ ଗୁଡିକ ପରିଷ୍କାର ପରିଚ୍ଛନ୍ନ ରଖିବା ସକାଶେ ସଚେତନତା କରା ଯାଇଥିଲା।ପୂଜା ପାର୍ବଣ ସମୟରେ ଅଳିଆ ଆବର୍ଜନା ଗୁଡିକ ଏଣେତେଣେ ନ ଫୋପାଡ଼ି ସ୍ୱତନ୍ତ୍ର ଆବର୍ଜନା କୁଣ୍ଡରେ ପକାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରା ଯାଇଥିଲା।ପରେ ସାମୁହିକ ସ୍ଥାନ ଗୁଡିକରେ ଜମା ହୋଇଥିବା ଆବର୍ଜନା ସବୁକୁ ଅପସାରଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏଣୁ ଏକ ଆବର୍ଜନା ମୁକ୍ତ ଭାରତ ସଫଳ ରୂପାୟନ ସକାଶେ ସାମୁହିକ ପ୍ରଚେଷ୍ଟା ଜାରୀ ରଖିବା ଆବଶ୍ୟକ ବୋଲି ଗ୍ରାମବାସୀଙ୍କୁ ସଚେତନତା କରା ଯାଇଥିଲା।କାର୍ଯ୍ୟକ୍ରମରେ ଯୋଗାଣ ସହାୟକ, ଗାଁ ସାଥୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା,ଗ୍ରାମର ଉତ୍ସାହୀ ଯୁବକ ଉପସ୍ଥିତ ଥିଲେ।