ଭିନ୍ନକ୍ଷମଙ୍କ ପାଇଁ ବ୍ୟାଟେରୀ ଚାଳିତ ତିନି ଚକିଆ ଯାନ ପାଇଁ ଆକଳନ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୨୦୨୨ ମସିହା ମଇ ଓ ଜୁନ ମାସରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଭାରତୀୟ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ନିର୍ମାଣ ନିଗମ , ଭୁବନେଶ୍ୱରର ସହଯୋଗରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ମାଗଣା ସହାୟକ ଉପକରଣ ପ୍ରଦାନ ନିମନ୍ତେ ପ୍ରତି ବ୍ଲକ ଓ ପୈାରାଞ୍ଚଳ ସ୍ତରରେ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ୨୦୨୨ମସିହା ଡିସେମ୍ବରମାସ ୩ତାରିଖରେ ଏକ ବୃହତ ବଣ୍ଟନ ମେଳା ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଏବଂ ତଦ୍ସହିତ ଅନ୍ୟ ବ୍ଲକ ମାନଙ୍କରେ ଏଡିଆଇପି ଯୋଜନା ଅଧିନରେ ଭିନ୍ନକ୍ଷମମାନଙ୍କୁ ନିଶୁଳ୍କ ସହାୟକ ଉପକରଣ ବଣ୍ଟନ କରାଯାଇଛି । ବାକି ରହିଥିବା ବରିଷ୍ଠ ନାଗରିକମାନଙ୍କୁ ଚଳିତ ମାସ୨୪ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ମହାକାଳପଡ଼ା ବ୍ଲକ ପରିସରରେ ଏକ ବୃହତ ବଣ୍ଟନ ମେଳା ଅନୁଷ୍ଠିତ ହେବ । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏହି ଦିନ ସାରା ଭାରତରେ ୭୪ ଟି ଜିଲ୍ଲାରେ ଏହିଭଳି ବଣ୍ଟନ ମେଳା କରିବାକୁ ସ୍ଥିର କରିଛନ୍ତି । ସେଥିମଧ୍ୟରୁ ଓଡିଶାର ୩ ଟି ଜିଲ୍ଲା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରହିଛି । ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ (ଏସଭିଏନଆଇଆରଟିଆର), ଓଲଟପୁର, କଟକ ସହାୟତାରେ ଏହି ମେଳାର ଆୟୋଜନ କରାଯାଉଛି । ସେହି ଦିନ ୨୧୫ ଜଣ ବରିଷ୍ଠ ଭିନ୍ନକ୍ଷମ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନର ଆୟୋଜନ ହୋଇଥିବା ବେଳେ ଜିଲ୍ଲାରେ ମୋଟ ୯୧୫ ଜଣ ବରିଷ୍ଠ ନାଗରିକଙ୍କୁ ୩୮୦୫ ଟି ସହାୟକ ଉପକରଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏତଦବ୍ୟତିତ ଆସନ୍ତା ୨୬ତାରିଖରେ ଗରଦପୁର ବ୍ଲକ, ୨୭ରେ ଡେରାବିଶ ବ୍ଲକ, ୨୮ରେ ମାର୍ଶାଘାଇ ବ୍ଲକ, ୩୦ରେ ରାଜକନିକା ବ୍ଲକ, ଅକ୍ଟୋବର ୧ତାରିଖରେ କେନ୍ଦ୍ରାପଡା ପୈାର ଟାଉନହଲ ଓ ୪ତାରିଖ ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ସେହି ଦିନ ଅପରାହ୍ନରେ ରାଜନଗର ବ୍ଲକ ପରିସରରେ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବରୁ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ବରିଷ୍ଠ ନାଗରିକମାନେ ସେହି ଶିବିରରେ ଉପସ୍ଥିତ ରହି ସେମାନଙ୍କ ପାଇଁ ମିଳୁଥିବା ନିଶୁଳ୍କ ସହାୟକ ଉପକରଣ ଗ୍ରହଣ କରିବାକୁ ମଧ୍ୟ ସାମାଜିକ ସୁରକ୍ଷା କର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି । ଏହା ବ୍ୟତିତ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ପ୍ରତି ବ୍ଲକ ଓ ପୈାରାଞ୍ଚଳରେ ପୂର୍ବରୁ ବ୍ୟାଟେରୀ ଚାଳିତ ତିନି ଚକିଆ ଯାନ ପାଇଁ ଦରଖାସ୍ତ କରିଥିବା ଆବେଦନକାରୀଙ୍କୁ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ଏଏଲଆଇଏମସିଓ), ଭୁବନେଶ୍ୱର ପକ୍ଷରୁ ଆକଳନ କରାଯାଇ ପରବର୍ତ୍ତୀ ସମୟରେ ତାହା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।