ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ନାମରେ କୋଟି କୋଟି ଟଙ୍କା ବ୍ୟୟ….
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ହେଉ ବା ରାଜ୍ୟ ସରକାର ସବୁ ଲୋକଙ୍କୁ ପାଇପ୍ ଲାଇନ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତପକ୍ଷେ ସରକାରଙ୍କ ଏହି ପାନୀୟ ଜଳ ପ୍ରକଳ୍ପ କାମରେ ଆସୁନାହିଁ । କେଉଁଠି ପୁରୁଣା ପାଇପ ହୋଇଯାଇଛି ତ ଆଉ କେଉଁଠି ପାଣିଟାଙ୍କି ନିର୍ମାଣ ହୋଇ ସାରିଥିଲେ ସୁଦ୍ଧା ଲୋକଙ୍କ ଘର ଦାଣ୍ଡ ମୁହଁକୁ ପାଇପ ଯାଇପାରୁ ନି ତ ଆଉ କେଉଁଠି ଲୋକଙ୍କ ଘର ଦାଣ୍ଡକୁ ପାଇପ ଯାଇଛି ହେଲେ ଟାଙ୍କି ନିର୍ମାଣ ହୋଇପାରିନାହିଁ । ଜିଲ୍ଲାରେ ଏଭଳି ଅନେକ ଗାଁ ଅଛି ଉଲ୍ଲେଖିତ ସମସ୍ୟା ଲାଗି ଆଜି ବି ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବାର ଜଣାପଡିଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି (ଗୋଷାଣି) ବ୍ଲକ ପ୍ରଶାସନିକ କାଗଜପତ୍ରରେ ଅତି ଉନ୍ନତ ତଥା ବିକଶିତ ବ୍ଲକ ଭାବେ ପରିଗଣିତ ହେଉଥିଲେ ହେଁ ଏହି ବ୍ଲକର ଅନେକ ଗ୍ରାମରେ ଆଜି ଯାଏଁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । କେଉଁଠି ପାଇପ ବିଛା ସରିଛିତ ଆଉ କେଉଁଠି ପାଣି ଓଭହେଡ୍ ଟାଙ୍କି ନିର୍ମାଣ ଚାଲିଛି ତ ଆଉ କେଉଁଠି ଅଧପନ୍ତରିଆ ଭାବେ ପଡିରହିଛି ତ ଆଉ କେଉଁଠି ପାଣି ଓଭରହେଡ୍ ଟାଙ୍କି ନିର୍ମାଣ କାମ ସରିଛି ହେଲେ ପାଣି ଯୋଗାଇ ଦିଆଯାଇ ନାହିଁ । ପ୍ରତ୍ୟେକ ଗ୍ରାମାଞ୍ଚଳରେ ଟ୍ୟୁୱେଲ୍ ରହିଛି ହେଲେ ସେ ଗୁଡିକୁ ପାନୀଜଳ ପାଇଁ ବ୍ୟବହୃତ ନୁହେଁ । ବ୍ଲକର ଗ୍ରାମାଞ୍ଚଳ ଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଏଭଳି ପାନୀୟ ଜଳ ପ୍ରକଳ୍ପ ଗୁଡିକ ପଡି ରହିଛି । ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଢାମୁଣିଗାଁ ସହ ତାଟିପାଟି, ବଡକତ୍ତୁରୁ, ସାନ କତ୍ତୁରୁ, ଛତ୍ରପୁର, ଏସ୍. ଉରୁଡା, କେ.ଉରୁଡା ଆଦି ଠାରେ ପାନୀୟ ଜଳ ସଙ୍କଟ ରହିଛି । ପାରଳା ସହର ଉପକଣ୍ଠରେ ଥିବା ଢାମୁଣୀଗାଁ ରେ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ ହୋଇସାରିଛି । କେରାଣ୍ଡି ପଞ୍ଚାୟତ ତରଫରୁ ପମ୍ପ ଡ୍ରାଇଭର ନିଯୁକ୍ତିକୁ ନେଇ ସେଠାରେ ପ୍ରାୟ ସପ୍ତାହ ହେଲା ପାଣି ଆସୁନାହିଁ । ପୂର୍ବରୁ ବିଭାଗ ପକ୍ଷରୁ କିଛି ଦିନ ନିମନ୍ତେ ଜଣେ ପମ୍ପ ଡ୍ରାଇଭର ନିଯୁକ୍ତ ଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ସ୍ଥାୟୀ ପମ୍ପ ଡ୍ରାଇଭର ନିଯୁକ୍ତ କରିବା କଥା । ହେଲେ ପଞ୍ଚାୟତ ପକ୍ଷରୁ ପମ୍ପ ଡ୍ରାଇଭର ନିଯୁକ୍ତ ହୋଇ ନଥିବାରୁ ପାନୀୟ ଜଳ ଛାଡିବାରେ ସମସ୍ୟା ଦେଖାଦେଇଛି । ସେହିଭଳି ବଡ କତ୍ତୁରୁ ଗ୍ରାମ ସମେତ ସାନ କତ୍ତୁରୁ, ଛତ୍ରପୁର ଠାରେ ପାଇପ ଲାଇନ ବିଛା ଯାଇଛି ହେଲେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହୋଇନାହିଁ । ଏହି ତିନି ଗୋଟି ଗ୍ରାମାଞ୍ଚଳରେ ତିନି ହଜାରରୁ ଉର୍ଦ୍ଧ ଜନସଂଖ୍ୟା ରହିଛି । ସେହିପରି ତାଟିପାଟି ଗ୍ରାମରେ ପ୍ରାୟ ପାଞ୍ଚ ମାସ ହେଲା ଜଳକଷ୍ଟ ଭୋଗୁଛନ୍ତି ଲୋକେ । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସମସ୍ତ ଘରକୁ ପାଇପ ଲାଇନ ବିଛା ଯାଇଛି । ହେଲେ ଏଠାରେ ପୁରୁଣା ପାଇପ ଗୁଡାକରେ କଳଙ୍କି ଲାଗି ଆଉ କାମ କରୁନଥିବାରୁ ଲୋକେ ପାଣି ପାଉ ନାହାନ୍ତି । ନୂତନ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ପାଇଁ ବିଭାଗ ପକ୍ଷରୁ କାମ ଆରମ୍ଭ କରିଥିଲେ ମଧ୍ୟ ଜାଗାକୁ ନେଇ ବିବାଦ ଦେଖାଦେଇଥିବାରୁ ତାହା ବର୍ତ୍ତମାନ ସ୍ଥଗିତ ହୋଇ ପଡିଛି । ଏପରି ସ୍ଥଳେ ଲୋକେ ପାଣି ନ ପାଇ ଗ୍ରାମରେ ଥିବା ଏକ ମାତ୍ର କୁଅଁରୁ ପିଇବା ପାଣି ବ୍ୟବହାର କରୁଛନ୍ତି । ଏହି କୁଅଁକୁ ବର୍ଷା ଦିନରେ ଦୂଷିତ ଜଳ ପ୍ରବେଶ କରୁଥିବାରୁ ଏହାର ପାମି ଗୋଳିଆ ହେଉଥିଲେ ମଧ୍ୟ ଲୋକେ ବାଧ୍ୟ ହୋଇ ପାଣି ପିଉଥିବାର ପ୍ରକାଶ କରିଛନ୍ତି । ସେହିପରି ଏସ୍.ଉରୁଡା, କେ. ଉରୁଡା ଆଦି ଠାରେ ପାନୀୟ ଜଳ ନିମନ୍ତେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଦୀର୍ଘ ଛଅ ବର୍ଷ ପୂର୍ବେ ହୋଇ ସାରିଛି ହେଲେ ପାଣି ମୋଟର, ତିତିଲି ବେଳେ ନଷ୍ଟ ହୋଇଥିବା ଟ୍ରାନ୍ସଫର୍ମର ସଜଡା ଯାଇ ନଥିବା ଓ ବିଦ୍ୟୁତ କାଟ୍ ସମସ୍ୟା ଲାଗି ଛଅ ବର୍ଷ ଧରି ଜଳ କଷ୍ଟ ଭୋଗୁଛନ୍ତି ଲୋକେ । ଏନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ପାଳଙ୍କୁ ପଚରାଯିବାରେ କହିଛନ୍ତି ଯେ, ଢାମୁଣୀଗାଁରେ ପମ୍ପ ଡ୍ରାଇଭର ସମସ୍ୟା ଦେଖାଦେଇଛି । ପଞ୍ଚାୟତ ତରଫରୁ ସେଠାରେ ପମ୍ପ ଡ୍ରାଇଭର ନିଯୁକ୍ତ କରିବା କଥା । ସେହିପରି ବଡକତ୍ତୁରୁ, ସାନକତ୍ତୁରୁ ଓ ଛତ୍ରପୁର ଗ୍ରାମାଞ୍ଚଳରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ନିମନ୍ତେ ଜାଗାର ଅଭାବ ଦେଖାଦେଇଥିଲା । ଏବେ ଏହି ସମସ୍ୟାର ସମାଧାନ ହୋଇ ସାରିଛି ଏବଂ ଖୁବ ଶୀଘ୍ର ସେଠାରେ ପାଣିଟାଙ୍କି ନିର୍ମାଣ ଆରମ୍ଭ କରାଯିବ । ତାଟିପାଟି ଗ୍ରାମରେ ଜାଗା ବିବାଦରେ ଥିବାରୁ ସେଠାରେ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣରେ ସମସ୍ୟା ଦେଖାଦେଇଥିବାର କହିଛନ୍ତି । ତେବେ ବିଭାଗ ପକ୍ଷରୁ କେବଳ ସମାଧାନ ଯୁକ୍ତ ମତବ୍ୟକ୍ତ କରାଯାଉଛି, ଲୋକଙ୍କୁ ଭୂଆଁ ବୁଲାଇବା ତଥା ନିଜ ମୁଣ୍ଡରୁ ଅଠା ଛଡାଇବା କଥା କହି ବିଭାଗୀୟ ଯନ୍ତ୍ରୀମାନେ ଖସିଯାଉଥିବାର ଏହି ଗ୍ରାମାଞ୍ଚଳର ବାସିନ୍ଦାମାନେ କହିଛନ୍ତି । ବାସ୍ତବରେ କେବେ କାମ ଶେଷ ହୋଇ ପାଣି ମୁନ୍ଦାଏ ପାଇବେ ତାହା ଦେଖିବାକୁ ରହିଲା ।