କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ ସଫଳ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୀର୍ଘଦିନ ହେବ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳମତ ନିର୍ବିଶେଷରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଚାଲିଥିବା ଆନ୍ଦୋଳନ ସହିତ ଗତ ଗୁରୁଦିବସ ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୮ଦିନ ଧରି ଚାଲିଥିବା ଗଣଧାରଣା ଆଜି ଶୀର୍ଷ ରୂପ ନେଇଛି । ମିଳିତ କ୍ରୀୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ସମ୍ପାଦକ ଆଡଭୋକେଟ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳି ପକ୍ଷରୁ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ସିପିଆଇର ଜିଲ୍ଲା ଯୁଗ୍ମ ସମ୍ପାଦକ ଆଦିକନ୍ଦ ରାଉଳ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରଭୃତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଅର୍ଥନୈତିକ ଅବରୋଧ ଆନ୍ଦୋଳନ ପରିଚାଳିତ ହୋଇଥିଲା । ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲାରେ କୈାଣସି ଠୋସ ବିକାଶ କାର୍ଯ୍ୟକ୍ରମ ସରକାର ହାତକୁ ନେଲେ ନାହିଁ । ପାରାଦୀପ ବନ୍ଦର ପାଇଁ ୫୬କିଲୋମିଟର ଜାତୀୟ ରାଜପଥ ଓ ହରିଦାସପୁର- ପାରାଦୀପ ରେଳ ଲାଇନ ପାଇଁ କେନ୍ଦ୍ରାପଡାବାସୀ ଜମି ଦେଇଥିଲେ ମଧ୍ୟ ଜିଲ୍ଲାର ଯୁବକ/ଯୁବତୀମାନେ କାମ ନପାଇ ଦାଦନ ଖଟିବାକୁ ବାହାରକୁ ଚାଲିଯାଉଛନ୍ତି । ବିଜୁବାବୁଙ୍କ କର୍ମକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲା ପ୍ରତି ନବୀନ ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ବରୁଣେଇ ଠାରେ ବନ୍ଦର ନିର୍ମାଣ କରିବା, ଅଳାଇଲୋ ଠାରେ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବା, ଆଖଡାଶାଳୀ ଠାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବା, ରାମନଗର ଅଞ୍ଚଳରେ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କେବଳ ଜିଲ୍ଲା ବାସୀଙ୍କୁ ଭଣ୍ଡେଇବା ଛଡା ଆଉକିଛି ନୁହଁ । ହଜାରରେ ଜଣେ ଡାକ୍ତର ନିଯୁକ୍ତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦେଶ ଥିବା ବେଳେ ୧୫ରୁ ୧୬ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ଜିଲ୍ଲାରେ ମାତ୍ର ୧୨୯ଜଣ ଡାକ୍ତର ଅଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ୩ରୁ ୧୩ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିବା ବେଳେ କେନ୍ଦ୍ରାପଡା ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆଜି ଆନ୍ଦୋଳନରେ ସାମିଲ ହୋଇଥିବା ରାଜନୈତିକ ନେତୃବୃନ୍ଦମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଅଲେଖ ଚନ୍ଦ୍ର ଜେନା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜେପିର ବରିଷ୍ଠ ନେତା ତେଜେଶ୍ୱର ପରିଡା, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ, ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ସାହିତ୍ୟିକ ବାସୁଦେବ ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ରାପଡା ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅବହେଳା ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ଏହି ଆନ୍ଦୋଳନରେ ସମସ୍ତ ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀମାନେ ସାମିଲ ହୋଇ ଦୁହୁରିଆ ଠାରେ କଟକ- ଚାନ୍ଦବାଲି ରାଜ୍ୟ ରାଜପଥ, ୫ନମ୍ବର(କ) ଜାତୀୟ ରାଜପଥ ଏବଂ ହରିଦାସପୁର- ପାରାଦୀପ ରେଳ ପଥକୁ ସମ୍ପୂର୍ଣ୍ଣ ଅବରୋଧ କରିବା ଫଳରେ ସେହିସବୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଟ୍ରକ, ବସ, କାର, ମିନିଟ୍ରକ ସମେତ ମାଲବାହୀ ରେଳ ଗୁଡିକ ଠପ ହୋଇଯାଇଥିଲା । ଏହି ଆନ୍ଦୋଳନରେ କେନ୍ଦ୍ରାପଡା ପୈାରାଞ୍ଚଳରୁ ମୁକ୍ତାର ଖାଁ, ମହମ୍ମଦ ସାହିଲ, ସତ୍ୟରଞ୍ଜନ ପରିଡା, ସୁହାନା ବିବି, ତନୁଜା ଥାପ୍ପା, ଲଜମୁନ ନିଶା, ପରୀ ବିବି, ସନ୍ଧ୍ୟାରାଣୀ ନାୟକ, କେନ୍ଦ୍ରାପଡା ବ୍ଲକରୁ ଭାଗୀରଥି ଜେନା, ଫକିର ଚରଣ ଖଟୁଆ, ରବୀନ୍ଦ୍ର ନାଥ ରଥ, ଡଃ. ଉପେନ୍ଦ୍ର ପ୍ରଧାନ, ଶ୍ରୀଧର ମହାନ୍ତି, ଶ୍ରୀଚରଣ ସାମଲ, ବିପ୍ଳବ କୁମାର, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେହିପରି ଡେରାବିଶ ବ୍ଲକରୁ ପ୍ରାଧ୍ୟାପକ ପ୍ରଭାକର ସାମଲ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଅଭିମନ୍ୟୁ ରାଉତ, କୁଞ୍ଜବିହାରୀ ଦାସ, ରାଜକିନିକା ବ୍ଲକରୁ କାଳି ପ୍ରସାଦ ନାୟକ, ମଙ୍ଗୁଳି ଚରଣ ବେହେରା, ଆଳି ବ୍ଲକରୁ ରବି ନାରାୟଣ ବେହେରା, ସୁହାନା ବେଗମ, ମହାକାଳପଡା ବ୍ଲକରୁ ନରୋତ୍ତମ ପାର୍ଥସାରଥୀ, ନିରାକାର ବେହେରା, ବୈଷ୍ଣବ ସ୍ୱାଇଁ, ପ୍ରଫୁଲ୍ଲ ପ୍ରଧାନ, ମାନସ କୁମାର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକରୁ ରାଜ କୁମାର ବିଶ୍ୱାଳ, ଦାଶରଥି ସାହୁ, ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରୁ ପ୍ରଫେସର ଅନିରୁଦ୍ଧ ରାଉଳ, ଦୁର୍ଯ୍ୟୋଧନ ପରିଡା, ଭରତ ନାୟକ, ମାର୍ଶାଘାଇ ବ୍ଲକରୁ କେଦାର ସାମନ୍ତରାୟ, ସିଦ୍ଧାର୍ଥ ରାୟ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଅଧିକାରୀ ରାଧାକାନ୍ତ ଦାଶ, ଗରଦପୁର ବ୍ଲକରୁ ସନ୍ତୋଷ ଦାସ, ରମେଶ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ରାଜନଗର ବ୍ଲକରୁ କବି ହେମନ୍ତ ରାଉତ, କୈଳାସ ମହାନ୍ତି, ପ୍ରଫୁଲ୍ଲ ଭୂୟାଁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଜଗତଜୀବନ ଦାଶ, ସମବାୟବୀତ କୁଳମଣୀ ନାୟକ, ଭରତ ଚନ୍ଦ୍ର ସାହୁ, ଚକ୍ରଧର ମହାନ୍ତି, ଅକ୍ଷୟ ବେହେରା, କୃଷକ ନେତା ନାରାୟଣ ପରିଡା, ବିଜୟ ଦାସ, ସସ୍ମିତା ବେହେରା, ଚିତ୍ରସେନ ପରିଡା, ରାଜେଶ ମହାନ୍ତି ପ୍ରମୁଖ ଆନ୍ଦୋଳନକୁ ପରିଚାଳନା କରିଥିଲେ । ରାଜ୍ୟ ସରକାର ଯଦି ଏହି ବିଧାନସଭା ଅଧିବେସନ ଭିତରେ ମେଡିକାଲ କଲେଜ ପାଇଁ ଘୋଷଣା ନକରନ୍ତି ତେବେ ଆସନ୍ତା ଦିନମାନଙ୍କରେ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବା ସହିତ ସମ୍ପୂର୍ଣ୍ଣ ଜିଲ୍ଲାକୁ ଅଚଳ କରିଦିଆଯିବ ବୋଲି ଆନ୍ଦୋଳନରତ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ