ରାସ୍ତାରେ ମାଳ ମାଳ ବୁଲା ଗାଈ ଗୋରୁ,ବଢୁଛି ସଡକ ଦୁର୍ଘଟଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ କିଛି ବର୍ଷ ଧରି ହିଞ୍ଜିଳିକାଟୁ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ପୌର ପରିଷଦର ମାନ୍ୟତା ଲାଭ କରିଛି। କେନ୍ଦ୍ରୀୟ ଯୋଜନାର ଅନୁଦାନ ପାଣ୍ଠି ହେଉ କିମ୍ବା ରାଜ୍ୟ ଅନୁଦାନ ପାଣ୍ଠିରୁ ଅଜସ୍ର ଅର୍ଥ ବିନିଯୋଗ ହୋଇ ଉନ୍ନୟନ ପ୍ରକଳ୍ପ ସବୁକୁ କାର୍ଯ୍ୟକାରୀ କରାଯାଇଛି।ରାସ୍ତା ଘାଟ ଠାରୁ ସାହି ବସ୍ତି ଗୁଡିକର ପରିବେଶ ବି କ୍ରମଶଃ ପରିବର୍ତ୍ତନ ହୋଇଛି। ସହରକୁ ସବୁଜ ଓ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ପ୍ରଶାସନିକ ସ୍ତରରୁ ରାଜନେତା, ବ୍ୟବସାୟୀ ଓ ବୁଦ୍ଧିଜୀବୀ ମାନଙ୍କ ସ୍ତରରେ ଉଦ୍ୟମ ହୋଇ ବ୍ୟାପକ ମାତ୍ରାରେ ପ୍ରସ୍ତୁତି ବି ହେଉଛି। ସଭା ସମିତି ମାନ ଆୟୋଜିତ ହୋଇ ସହରର ବିକାଶ ପାଇଁ ନାରା ପରେ ନାରା ଦେବାକୁ ବି ଅବହେଳା ପ୍ରଦର୍ଶନ କରି ନାହାଁନ୍ତି। ସହରର ଏଭଳି ଏକ ଚଳଚଞ୍ଚଳ ପରିବେଶ ଭିତରେ ଅଣନିଃଶ୍ଵାସୀ ହୋଇ ସାଧାରଣ ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେଉଁ ସମୟରେ କିଏ କିଏ ମରଣ ମୁହଁକୁ ଠେଲି ହୋଇ କାହାର ଜୀବନ ଚାଲି ଯାଉଛି ତ ଆଉ କିଏ ବି ମୃତ୍ୟୁ କବଳରୁ ବର୍ତ୍ତି ଯାଉଛି।ସହରକୁ ଦୈନିକ ଶହ ଶହ ଲୋକ ଆତଯାତ ହେଉଥିବା ବେଳେ ସହରର ବିଭିନ୍ନ ରାସ୍ତାରେ ମାଳ ମାଳ ବୁଲା ଗାଈ,ଗୋରୁ ଓ କୁକୁରଙ୍କ ଅବାଧ ବିଚରଣ ଫଳରେ ଏଭଳି ଗୁରୁତର ସମସ୍ୟା ଦେଖା ଦେଇଛି। ସ୍ଥାନୀୟ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଓ ୩୬ନଂ ରାଜ୍ୟ ରାଜପଥରେ ଦୈନନ୍ଦିନ ଏଭଳି ବିଷମ ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡିଛି। ବିଭିନ୍ନ ସମୟରେ ଏଠାକୁ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, ବିଧାୟକ ଓ ମନ୍ତ୍ରୀମାନଙ୍କ ପାଦ ପଡୁଥିବା ବେଳେ ଏଭଳି ଏକ ପ୍ରମୁଖ ସମସ୍ୟାର ସମାଧାନ ପ୍ରତି ଅଣଦେଖା କରା ଯାଉଥିବା ପରିବେଶ ଓ ପରିସ୍ଥିତିରୁ ଦେଖିବାକୁ ମିଳିଛି। ସ୍ଥାନୀୟ ପୈାର ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇ ହିଞ୍ଜିଳି ଗ୍ରାମ ନିକଟସ୍ଥ ତିଆରି ହୋଇଛି କାଞ୍ଜିଆହୁଦା । କେବେ କେମିତି ଲୋକ ଦେଖାଣିଆ ଭାବେ ଗୋରୁ ଗାଈ ଧରା ଗାଡ଼ିରେ ବୁଲା ଗାଈ ଗୋରୁଙ୍କୁ ଉଠାଇ ନେଇ ସେଠାରେ ରଖାଯାଉଛି। କିନ୍ତୁ ଏହି ପଶୁମାନଙ୍କୁ ବାହାରେ ଛାଡ଼ିଦେଇ ନିଶ୍ଚିନ୍ତ ରହୁଥିବା ଗୋପାଳକ ମାନଙ୍କୁ କିଛି ତଣ୍ଡ ଆଦାୟ କରି ପୌର କର୍ତ୍ତୃପକ୍ଷ କାମ ସାରି ଦେଉଥିବା ଜଣାପଡିଛି। ମାତ୍ର ପୌର କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ବୁଲା ପଶୁମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଦାସୀନତା ରହୁଥିବା ଜଣାପଡିଛି।ଫଳରେ ୫୯ନଂ ଜାତୀୟ ରାଜପଥ ସମେତ ୩୬ନଂ ରାଜ୍ୟ ରଥର ବିଭିନ୍ନ ଛକ ନିକଟରେ ବୁଲା ପଶୁମାନଙ୍କ ବିଚରଣ ଯୋଗୁଁ ଛୋଟ ବଡ଼ ସଡକ ଦୁର୍ଘଟଣା ଘଟି ମୃତାହତ ହେଉଥିବା ଏବେ ନିତିଦିନିଆ ଘଟଣା ପାଲଟିଛି। ଗୋଟିଏ ପଟେ ରାସ୍ତା କଡରେ ବେଆଇନ ଗାଡି ପାର୍କିଂ ହୋଇ ରାସ୍ତା ସଙ୍କୁଚିତ ହେଉଥିବା ବେଳେ ଅନ୍ୟ ପଟେ ବୁଲା ପଶୁ ରାସ୍ତାରେ ବିଚରଣ ଅବା ବିଶ୍ରାମ ନେବା ପଥଚାରୀ , ଶିକ୍ଷାର୍ଥୀଙ୍କ ଜୀବନ ସୁରକ୍ଷାରେ ବାଧକ ସାଜିଛି। ଏଣୁ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସଚେତନ ନାଗରିକମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ