ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ନାଗରିକମାନେ ହେଉଛନ୍ତି ଦେଶର ବଡ଼ ସମ୍ପଦ । ସେମାନେ ପ୍ରଜ୍ଞ ଓ ଅଭିଜ୍ଞ । ସେମାନଙ୍କୁ କେବେ ଅଲୋଡ଼ା ଭାବିବା ଉଚିତ୍ ନୁହେଁ । ପରିବାର ହେଉ କି ସମାଜ ହେଉ ସେମାନେ ହେଉଛନ୍ତି ଆମ ମେରୁଦଣ୍ଡ । ସେମାନଙ୍କୁ କେବେ ବି ଅସମ୍ମାନ, ଅବହେଳା ପ୍ରଦର୍ଶନ କରିବା ଅନୁଚିତ୍ । ସେମାନଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦରେ ପ୍ରତିଟି ଜୀବନ ଆଲୋକିତ ହୋଇଥାଏ । ବାଟବଣା ହୋଇଗଲେ ସେମାନେ ସଠିକ୍ ମାର୍ଗ ଦେଖାଇଥାନ୍ତି, ଏପରିକି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେବଦୂତ ପରି ଠିଆ ହୋଇଯାଆନ୍ତି । ଏହାର ଅଜସ୍ର ଉଦାହରଣ ବି ରହିଛି ବୋଲି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି । ସାମାଜିକ ଅନୁଷ୍ଠାନ ‘ବୁଲ୍‌ସଆଇ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ତିଳୋତ୍ତମା ମଣ୍ଡପ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ମହିଳା ଡ଼ାକ୍ତର ଅପଣ୍ଣା ରାଓ, ସମ୍ମାନିତ ଅତିଥି ରୂପେ ଡ଼ାକ୍ତର ନିରଞ୍ଜନ ରାଜ, ପ୍ରଫେସର ବାସନ୍ତୀ ରାଓ, ବୁଲ୍‌ସଆଇର ବରିଷ୍ଠ ପରାମର୍ଶଦାତା ଚନ୍ଦ୍ରଶେଖର ପାଲ, ଚେୟାରମ୍ୟାନ ତ୍ରିଲୋଚନ ବେଉରା, ସଂଯୋଜକ ବାପିନା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ବାସନ୍ତୀ ରାଓଙ୍କ ସହଯୋଗ କ୍ରମେ ୩୫ଜଣ ଦୃଷ୍ଟିବାଧିତ ମହିଳାମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏତଦ୍‌ସହ ଅନୁଷ୍ଠାନ ପକ୍ଷରୁ ୫ଜଣ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ