ଓଡ଼ିଶା ଶାସନ ନ ବଦଳିଲେ ରାଜ୍ୟର ବିକାଶ ଅସମ୍ଭବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୋ ଦଳ ତରଫରୁ ରବିବାର ଦିନ ହୋଟେଲ ପ୍ରେସିଡେନ୍ସିରେ ସାଧବ ଓଡ଼ିଶାରୁ ଦାଦନ ଓଡ଼ିଶା ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୋ ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଆଲୋଚନାରେ ଆଲୋଚକ ଭାବେ ଯୋଗଦେେଇ ପୂର୍ବତନ କୁଳପତି ବିନାୟକ ରଥ କହିଲେ ଯେ, ଜଳ, ଜମି, ଜଙ୍ଗଲ ସାଧାରଣ ଲୋକଙ୍କ କାମରେ ଲାଗୁନାହିଁ । ସାମ୍ପ୍ରଦାୟିକତାବାଦ, ଜାତିବାଦକୁ ରାଜନୀତିରେ ବିରୋଧ କରିବାକୁ ପଡ଼ିବ । ଶାସନ ଲୋକଙ୍କ ସହ ସମ୍ପୃକ୍ତି ଓ ଲୋକ ପରାମର୍ଶରେ ଚାଲିବା ଉଚିତ୍ ଯାହା ଆଦୌ ହେଉନାହିଁ । ସେହିଭଳି ଶିକ୍ଷା ଓ ସ୍ୱାସ୍ଥ୍ୟର ଘରୋଇକରଣ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି । ଭାଷା ଆନ୍ଦୋଳନର ନେତା ସୁବାସ ପଟ୍ଟନାୟକ କହିଲେ ଯେ, ସାଧବମାନେ କେବଳ ବାଣିଜ୍ୟରେ ନିପୂଣ ନଥିଲେ, କୁଶଳୀ ଯୋଦ୍ଧା ମଧ୍ୟ ଥିଲେ । ସେତେବେଳର ଗୋଷ୍ଠୀଗତ ଗଣତନ୍ତ୍ର ଶାସନ ଏବର ଶାସନ ଠାରୁ ଉତ୍କୃଷ୍ଟ ଥିଲା । ବିଶିଷ୍ଟ ଅଧିବକ୍ତା କ୍ଷୀରୋଦ ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେହି ହେଉଛି ବିଶିଷ୍ଟ ଶାସକ, ଯିଏ ନିଜ ଶାସନକୁ କମ୍ ବ୍ୟବହାର କରେ । ମଣ୍ଟେସ୍କୋ, ଭୋଲ୍‌ଟେୟାର ଯେମିତି ଅତ୍ୟାଚାରୀ ଶାସନ ବିରୁଦ୍ଧରେ ଜନମତ କରିଥିଲେ, ଆମେ ସେମିତି ଶାସନ ବ୍ୟବସ୍ଥାକୁ ବଦଳାଇବାକୁ ସଂକଳ୍ପ ନେବା । ଅର୍ଥନୀତିଜ୍ଞ ଅବସରପ୍ରାପ୍ତ ଅଧ୍ୟାପକ କୁମରବର ଦାସ କହିଥିଲେ ଯେ, ପଞ୍ଜାବ ଓ ହରିୟାଣାରେ ବୃହତ୍ ଶିଳ୍ପ ନାହିଁ, ସେଠି କିନ୍ତୁ ଲୋକଙ୍କର ବିକାଶ ହୋଇଛି । ଏଠି ବୃହତ୍ ଶିଳ୍ପ, ବିକାଶ ଲୋକଙ୍କ ପାଇଁ ବୁମେରାଂ ହୋଇଛି । ଆମେ ଗୋରୀ ଝିଅ ବଦଳରେ କାଳୀ ନୁହେଁ, ସୁନ୍ଦରୀ ଝିଅ ଭଳି ଶାସନ ଓ ଉନ୍ନତି ଚାହୁଁ । ପୂର୍ବତନ ପ୍ରଶାସକ ଦେବ ପ୍ରସାଦ ଦାସ ଅତ୍ୟନ୍ତ ଶାଣିତ ଭାବେ ସରକାରଙ୍କ ବିଫଳତାକୁ ଦର୍ଶାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ବିକଳ ସ୍ଥିତିରେ ଓଡ଼ିଶା କିଭଳି ଅଛି ତାର କରୁଣ ଚିତ୍ର ଉପସ୍ଥାପନ କରିଥିଲେ । ସେହିଭଳି ସ୍ଥାୟୀତ୍ୱ ଶାସନ ବିକାଶର ମାପକାଠି ଆଦୌ ଉଚିତ୍ ନୁହେଁ ବୋଲି କହିଥିଲେ । ବିଶିଷ୍ଟ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ବିଜେଡ଼ିକୁ ସମାଲୋଚନା କରି କହିଲେ ଯେ, ବିଜେଡ଼ିର ଲମ୍ବା ଶାସନରେ ନିଜ ଦଳର ପାଣ୍ଠି ବୃଦ୍ଧି କଲା, ସୁନ୍ଦର ଶଙ୍ଖ ଭବନ କଲା, କିନ୍ତୁ ଓଡ଼ିଶାର କିମ୍ବା ଓଡ଼ିଆଙ୍କ ବିକାଶ ହେଲା ନାହିଁ । ଶିକ୍ଷାବିତ୍ ଅନିଲ ପ୍ରଧାନ ଶିକ୍ଷା ଉପରେ ମତ ଦେଇ କହିଲେ ଯେ, ଶକ୍ଷା ଅଧିକାର ଆଇନ ଆସିଲା ପରେ ସରକାରୀ ଶିକ୍ଷା ସୁଧୁରିବା ପରିବର୍ତ୍ତେ ସରକାରୀ ସ୍କୁଲ୍‌ର ସମାଧି ହେଲା । କାହିଁକି ଏମିତି ହେଲା ତାର ସମୀକ୍ଷା ହେଲାନାହିଁ । ସାମ୍ବାଦିକ ପ୍ରଭାସ ପ୍ରଧାନ କହିଲେ ଯେ, ପଡ଼ିଶା ଆନ୍ଧ୍ର ଉତ୍ପାଦନରେ ସବୁଥିରେ ଆଗରେ ଥିଲାବେଳେ ଆମେ ପଛପଟୁ ଆଗରେ । ସ୍ୱାସ୍ଥ୍ୟବସ୍ଥାର ଦୂରାବସ୍ଥା ସମ୍ପର୍କରେ ଗୌରାଙ୍ଗ ମହାପାତ୍ର କହିଲେ ଯେ, ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିଲେ ଲୋକେ ଦାରିଦ୍ର‌୍ୟ କବଳରୁ ହୁଗୁଳି ପାରିବେ ନାହିଁ । ସାମାଜିକ କର୍ମୀ ସୁବାସ ପଣ୍ଡା କହିଲେ ଯେ, ଏନ୍‌ଟିଆର ଯେଭଳି ତେଲୁଗୁ ଅସ୍ମିତାକୁ ନେଇ ଦଳ ଗଢି ସଫଳ ହୋଇଥିଲେ, ଏବେ ସେଭଳି ଓଡ଼ିଆ ଅସ୍ମିତାକୁ ନେଇ ନୂତନ ଆଞ୍ଚଳିକ ଦଳକୁ ବଢାଇବାର ଅଛି । ଗୋତିମୁକ୍ତି ଆନ୍ଦୋଳନର ନେତା ବାଘାମ୍ବର ପଟ୍ଟନାୟକ କହିଲେ ଯେ, ଲୋକଙ୍କ ସପକ୍ଷରେ ଯେଉଁ ଆଇନ ଅଛି, ତାର ପ୍ରଚାର କିମ୍ବା ଉପଯୋଗ ହେଉନାହିଁ । ଗାନ୍ଧୀଙ୍କ ରାସ୍ତାରେ ଏସବୁର ବିରୋଧ ହେଉ । ସୂଚନା ଅଧିକାରୀ ଆନ୍ଦୋଳନର ନେତା ପ୍ରଦୀପ ପ୍ରଧାନ କହିଲେ ଯେ, ନବୀନ ପଟ୍ଟନାୟକ ସରକାର ଅଘୋଷିତ ଲୁଣ୍ଠନ ଓ ମିଥ୍ୟା ପ୍ରଚାର ଚାଲିଛି । ଏହି ମିଛ ପ୍ରଚାର ପଟଳକୁ କାଟିଲ ସରକାର ହାରିଯିବ । ପ୍ରଚାର କମିଟିର ଅଧ୍ୟକ୍ଷ ଶେଷଦେବ ନନ୍ଦ କହିଲେ ଯେ, ନବୀନ ସରକାରଙ୍କ ବିରୁଦ୍ଧରେ ମୋ ଦଳ କର୍ମୀଙ୍କ ଅହରହ କାମ ନବୀନଙ୍କୁ ପରାସ୍ତ କରିପାରିବ । କାର୍ଯ୍ୟକାରୀ ଅଧ୍ୟକ୍ଷ ଅକ୍ଷୟ କୁମାର କହିଥିଲେ ଯେ, ରାଜ୍ୟରେ ନୂଆ ସରକାର ହେବା ଆଦୌ ସ୍ୱପ୍ନ ନୁହେଁ । ଆମର ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ଓ ଏକନୀଷ୍ଠ ସାଧନା ନବୀନଙ୍କୁ କ୍ଷମତାକୁ ହଟାଇବାରେ ସଫଳ ହେବ । ଏନଆରଆଇ ସୂର୍ଯ୍ୟ ମିଶ୍ର ଓ ନିରାକାର ବେଉରା ଓଡ଼ିଶା ଦିନକୁ ଦିନ ରସାତଳଗାମୀ ହେଉଛି କହିଥିଲେ ।ଆଜି ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ରାଜ୍ୟ ସଭାପତି ନିତ୍ୟସୁନ୍ଦର ଦାସ, ଉମାକାନ୍ତ ଭାରତ, ଡଃ କୁଳମଣି, ବସନ୍ତ ସାହୁ, ଅଶୋକ ମହାନ୍ତି, ଦେବୀ ପ୍ରସାଦ ମହାରଣା, ପ୍ରସନ୍ନ କୁଅଁର, ଅରୁଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ