ଗଛ ବଖାଣୁଛି ସବୁଜ ଦୀପାବଳିର କଥା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ଆସୁଛି ଦୀପାବଳି । ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ରଙ୍ଗ ତୂଳୀରେ ସବୁଜ ଦୀପାବଳିର ବାର୍ତ୍ତା ଦେଇଛନ୍ତି ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଇକୋ-ଫ୍ରେଣ୍ଡଲି ଦୀପାବଳିର ଉପାଦେୟତାକୁ ସେ ଚିତ୍ରରେ ଫୁଟାଇଛନ୍ତି । ଆଙ୍କିଛନ୍ତି ବୃକ୍ଷ ଦୀପ । “ସେ ନୋ ଟୁ କ୍ରାକର୍ସ” କୁ ସମର୍ଥନ କରି କହିଛନ୍ତି ଆସ ପାଳିବା ସବୁଜ ଦୀପାବଳି । ଦୀପର ପର୍ବରେ ଦୀପର ଆଲୋକରେ ଚାରିଆଡ଼େ ଜାଜ୍ଜୁଲ୍ୟମାନ ହୋଇ ଉଠିଥାଏ । ପଞ୍ଚତତ୍ତ୍ୱର ପ୍ରତୀକ ହେଉଛି ମାଟି ଦୀପ । ମାଟି ଦୀପର ନମ୍ର, କମ୍ର, ଆଲୋକ ମନରେ ଶାନ୍ତି, ପବିତ୍ରତା ଭାବ ଖେଳାଇ ଦେଇଥାଏ । ଯାହା ବାତାବରଣରେ ସକରାତ୍ମକ ଉର୍ଜା ସୃଷ୍ଟି କରି ମନରୁ ଉଦ୍ବେଗ, ଚିନ୍ତା ଦୂର କରିଦେଇଥାଏ । ଏଣୁ ଆମ୍ଭେମାନେ ବାଣ ନ ଫୁଟାଇ ଆଲୋକର ପର୍ବରେ କେବଳ ଦୀପ ଜାଳି ସବୁଜ ଦୀପାବଳି ପାଳନ କରିବା ପାଇଁ ସଂକଳ୍ପ ନେବା ଜରୁରୀ ବୋଲି ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଶାନ୍ତନୁ ଚିତ୍ରରେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ର । ଶାନ୍ତନୁଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।