ମୌଳାଭଞ୍ଜା ସେବା ସମବାୟ ସମିତି ଚାଷୀଙ୍କ ଟଙ୍କା ହଡ଼ପ ମାମଲା ରେ ଡାଟା ଅପରେଟର ଗିରଫ ସମ୍ପାଦକ ଫେରାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆସିକା ସେବା ସମବାୟ ବ୍ଯାଙ୍କ ଶାଖା ପାଟପୁର ଅଧୀନସ୍ଥ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ସେବା ସମବାୟ ସମିତିରେ ଚାଷୀଙ୍କ ଟଙ୍କା ଅନିୟମିତତା ମାମଲାରେ ମଙ୍ଗଳବାର ଦିନ ପୋଲିସ କାର୍ଯ୍ୟରତ ଡାଟା ଅପରେଟର ସାନୁ ମହାରଣାଙ୍କୁ ଗିରଫ କରିଥିବା ବେଳେ ସେବା ସମବାୟ ସଂପାଦକ ବିପିନ ଷଡ଼ଙ୍ଗୀ ଫେରାର ରହିଥିବା ଜଣାପଡିଛି । ଖବରନୁଯାୟୀ ,୨୦୨୨-୨୩ ଖରିଫ ଋତୁରେ ଚାଷୀଙ୍କ ଠାରୁ ଧାନକିଣା ସମୟରେ ପଞ୍ଜିକୃତ ଚାଷୀ ଦେବରାଜ ନାୟକ , ସ୍ବର୍ଣ୍ଣଲତା ସାହୁ, ଜଗନ୍ନାଥ ସାହୁ ଏବଂ ଲଡୁ କିଶୋର ଗୌଡ ସୋସାଇଟି ମାଧ୍ୟମରେ ଧାନ ବିକ୍ରି କରିଥିଲେ । କିନ୍ତୁ ତାଙ୍କ ବ୍ଯାଙ୍କ ଖାତାକୁ ସରକାରଙ୍କ ପକ୍ଷରୁ ଧାନର କୌଣସି ଏମଏସପି ପହଞ୍ଚିନଥିଲା ।ଚାଷୀଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇଥିବା ବେଳେ ଅନିୟମିତତା ପଛରେ କାର୍ଯ୍ଯରତ ଡାଟା ଅପରେଟର ସାନୁ ମହାରଣା କଳା କାରନାମା ରହିଥିବା ଜଣାପଡିଥିଲା । ସେ କମ୍ପ୍ୟୁଟର ମାଧ୍ୟମରେ ନକଲି ରସିଦ ମଧ୍ୟ ପ୍ରସ୍ତୁତ କରିଥିଲେ । ଖରିଫ ଧାନ ସଂଗ୍ରହ ସମୟରେ ସେବା ସମବାୟ ସମିତିରେ ଅନିୟମିତତା ପାଇଁ ସମିତି ସମ୍ପାଦକ ଉତ୍ତରଦାୟୀ ରହୁଥିବାରୁ ବ୍ରହ୍ମପୁର ମଣ୍ଡଳ ଏଆରସିଏସ ପର୍ଶୁରାମ ପାତ୍ର ଡିଇଓ ସାହୁଙ୍କ ସମେତ ସମ୍ପାଦକ ବିପିନ ଷଡ଼ଙ୍ଗୀଙ୍କ ନାମରେ ମଧ୍ୟ ଏତଲା ଦେଇଥିଲେ । ଦିଗପହଣ୍ଡି ଥାନା କେଶ୍ ନମ୍ବର ୪୨୭/୨୩ ଦଫା ୪୨୦/୪୦୯/୪୬୭/୪୬୮/୩୪ ପ୍ରକାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ମଙ୍ଗଳବାର ଦିନ ଅଭିଯୁକ୍ତ ସାନୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଅଭାବରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସେବା ସମବାୟ ସଂପାଦକ ବିପିନ ଫେରାର ରହିଥିଲେ ମଧ୍ୟ ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି।