ଝଣଝଣା ଗାଁରେ ପହଞ୍ଚି ସଚେତନ କଲେ ସ୍ନେକ ହେପ୍ପ ଲାଇନ ସଦସ୍ୟ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଝଣଝଣା ଗାଁରେ ସର୍ପାଘାତରେ ଜଣେ ମହିଳାଙ୍କ ମୃତୁ୍ୟ ଓ ସର୍ପାଘାତ ମହିଳାଙ୍କୁ ଭଲ କରିବାକୁ ପାଟିରେ ସାପବିଷ ଟାଣି ଜଣେ ମହିଳା ଗୁରାୁତର ହେବା ଘଟଣାରେ ଆଜି ଭୁବନେଶ୍ୱର ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଝଣଝଣା ଗାଁରେ ପହଞ୍ଚି ମୃତ ଓ ପିଡିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହିତ ଗାଁ ଲୋକମାନଙ୍କୁ ଡାକି ସଚେତନ କରାଇଛନ୍ତି । ଗତ ୫ତାରିଖ ଦିନ ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀ ବେହେରା(୪୦) ବିଲକୁ ଯାଇଥିବାବେଳେ ସେଠାରୋ ଏକ ବିଷାକ୍ତ ସାପ କାବୁଡି ଦେଇଥିଲା । ସେ ଘରକୁ ଫେରି ଏ ବାବଦରେ ଜଣାଇବା ପରେ ଗ୍ରାମର ମିନତୀ ଦେହୁରୀ ନାମକ ଜଣେ ମହିଳା ତାଙ୍କୁ ଝଡାଫୁଙ୍କା କରିବା ସହିତ ସାପ ବିଷ ସୋଷି ବାହାର କରିବାକୁ ଚେଷ୍ଟା କରିଥିଲେ । ଯାହାଦ୍ୱାରାକି ଝୁନୁରାଣୀଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ଘଟିଥିଲା । ଝୁନୁରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହାର କିଛି ସମୟପରେ ସାପ ବିଷ ଶୋଷି ବାହାର କରିବାକୁ ଚେଷ୍ଟା କରିଥିବା ମିନତୀ ମଧ୍ୟ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗତକାଲି ମିନତୀ ଡାକ୍ତରଖାନାରୁ ସୁସ୍ଥହୋଇ ଘରକୁ ଫେରିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସ୍ନେକ ହେଲ୍ପ ଲାଇନ ଭୁବନେଶ୍ୱରର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସହଯୋଗୀ ସଦସ୍ୟ ରାଜେଶ ସୁତାର, ପୁର୍ଣ୍ଣଚନ୍ଦ୍ର ଦାସ, ଶିଲକା ପ୍ରମୁଖ ଝଣଝଣା ଗାଁରେ ପହଞ୍ଚି ମୃତ ଓ ପିଡିତାଙ୍କ ପରିବାରକୁ ଭେଟିବା ସହିତ ସାପ କାମୁଡିଲେ ଅନ୍ଧବିଶ୍ୱାଷର ବଷବର୍ତ୍ତି ନହୋଇ ଝଡାଫୁଙ୍କାର ସହାୟତା ନନେଇ ତୁରନ୍ତ ଡାକ୍ତରଖାନାକୁ ନେବାକୁ ଲୋକମାନଙ୍କୁ ବୁଝାଇଥିଲେ । ବିଷାକ୍ତ ସାପ କାମୁଡିବା ପରେ ଏହା ସଙ୍ଗେ ସଙ୍ଗେ ରକ୍ତରେ ମିଶିଯାଏ, ତେଣୁ ଝଡାଫୁଙ୍କା କଲେ କିମ୍ବା ବିଷ ଶୋଷିଲେ ତାହା ବାହାରେ ନାହିଁ ବୋଲି ଲୋକମାନଙ୍କୁ ବୁଝାଇଥିଲେ । ବର୍ତ୍ତମାନ ସମୟରେ କେନ୍ଦୁଝର ଜିଲ୍ଲାରେ ସର୍ପାଘାତରେ ଅଧିକ ଲୋକ ମୃତୁ୍ୟବରଣ କରୁଥିବାରୁ ଏ ବାବଦରେ କେନ୍ଦୁଝର ବାସୀଙ୍କୁ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି ଶୁଭେନ୍ଦୁ ମତବ୍ୟକ୍ତ କରିଛନ୍ତି ।