୬ବର୍ଷ ବିତିଲା ଅସମ୍ପୁର୍ଣ୍ଣ ରହିଲା ଅଙ୍ଗନବାଡି ଘର
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର କିଛି ପଞ୍ଚାୟତରେ ଗତ ୨୦୧୬/୧୭ ଆର୍ଥିକ ବର୍ଷରେ ଅଙ୍ଗନବାଡି କେନ୍ଦ୍ର ନଥିବା ୧୨ଟି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯାଇଥିଲା । ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କେନ୍ଦ୍ର ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା । ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ଓ ସିଡବ୍ଲୁସି ପକ୍ଷରୁ ୨ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଆଦେଶ ଥିଲା । ସେହି ଅନୁସାରେ ଠିକାଦାର ମାନେ କାମ କରିଚାଲିଥିଳେବି ଉପଯୁକ୍ତ ପ୍ରାପ୍ୟ ପାଇନଥିଲେ । ଏହି ଘର ଗୁଡିକ ଡିଏମଏଫ ଯୋଜନାରୁ କରିବାପାଇଁ ବ୍ଲକ ପକ୍ଷରୁ ଜିଲ୍ଲାପ୍ରଶାସନକୁ ମଞ୍ଜୁର ପାଇଁ ଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ମଞ୍ଜୁର ହେଲାନି । ଯାହାଦ୍ୱାରାକି କାମ ଅଧାପନ୍ତରିଆ ହୋଇ ପଡି ରହିଲା । ଉଦାହରଣ ସ୍ୱରୁପ ଶାସଙ୍ଗ ଗ୍ରାମରେ ପୁରୁଣା ଅଙ୍ଗନବାଡି କେନ୍ଦ୍ରଟି ଭୁଷୁଡିବାକୁ ବସିଥିବାବେଳେ ଏହି ଯୋଜନାରେ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଠିକାଦାର ଘରର ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରି ଛାତ ପର୍ଯ୍ୟନ୍ତ କାମ କରିଥିଲେବି ଟଙ୍କାଟିଏ ବିଲ ପାଇନଥିଲେ । ବାରମ୍ବାର ବ୍ଲକକୁ ଦୌଡି ଦୌଡି ନୟାନ୍ତ ହେବା ସାର ହେଲା । ଫଳରେ ନବ ନିର୍ମିତ ଅଙ୍ଗନବାଡି ଘରଟି ଅଧପ୍ନ୍ରିଆ ହୋଇ ଆଜି ପର୍ଯ୍ୟନ୍ତ ପଡି ରହିଛି । ପୁରୁଣା ଘରଟି ବିପଦ ଶଙ୍କୁଳ ହୋଇପଡିବାରୁ ଅଙ୍ଗନବାଡିଟି ଏବେ ସ୍କୁଲ ବାରଣ୍ଡାରେ ଚାଲିଛି । ସରପଞ୍ଚ ମଧୁମିତା ସ୍ୱାଇଁ ଏନେଇ ବାରମ୍ବାର ଆପତ୍ତି ଅଭିଯୋଗ କଲେବି କେହି କର୍ଣ୍ଣପାତ କରୁନାହାନ୍ତି । ଏପରିକି ଗତ ପଞ୍ଚାୟତ ସମିତି ବୈଠକରେ ଏ ନେଇ ଆଲୋଚନା କରିଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଖାଲି ଶାସଙ୍ଗ ନୁହଁ ଜମ୍ଭିରା, ଆମ୍ବୋ ପ୍ରଭୃତି ପଞ୍ଚାୟତରେ ମଧ୍ୟ ଏହି ସମସ୍ୟା ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ଅଧାପନ୍ତରିଆ ହୋଇ ପଡିରହିଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।