ଦିଗପହଣ୍ଡି ରେ ଖୋଲିବ ସବ୍ ଜଜ କୋର୍ଟ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରେ ଅତି ଶୀଘ୍ର ଖୋଲିବ ସବ୍ ଜଜ କୋର୍ଟ। ଦିଗପହଣ୍ଡି – ପୋଡାମାରି ରାସ୍ତାର ମା ‘ ଚାମଣ୍ଡା ମନ୍ଦିର ସମ୍ମୁଖ ରେ ଥିବା ପ୍ରାୟ ୪ ଏକର ସରକାରୀ ଜମି ରେ ବିଚାର ବିଭାଗ ପକ୍ଷରୁ କୋର୍ଟ ବିଲ୍ଡିଂ ନିର୍ମାଣ କରାଯିବ। ମଙ୍ଗଳବାର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ଜଜ ରୁପଶ୍ରୀ ଚୌଧୁରୀ,ବ୍ରହ୍ମପୁର କୋର୍ଟ ଅଫିସର ମୋନାଲିସା ମହାପାତ୍ର ନୂଆ କୋର୍ଟ ବିଲ୍ଡିଂ ନିର୍ମାଣ ନିମନ୍ତେ ଚିହ୍ନଟ ଜମି ପରିଦର୍ଶନ କରିଥିଲେ। କୋର୍ଟ ବିଲ୍ଡିଂ ନିର୍ମାଣ ନିମନ୍ତେ ଶନିବାର ଅନୁଷ୍ଠିତ ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ,ଗଞ୍ଜାମ ଜିଲା ପ୍ରୋଟକଲ ଜଷ୍ଟିସ ଦେବପ୍ରସାଦ ଦାସ ଏବଂ ୩ ଜଣ ହାଇକୋର୍ଟ ସିନିୟର ରେଜିଷ୍ଟ୍ରାର ଯୋଗଦେବା କାର୍ଯ୍ୟକ୍ରମ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ଟ୍ରାଞ୍ଜିଟ ହାଉସ ନିର୍ମାଣ କରାଯିବ। ମୁଖ୍ୟ ବିଚାରପତି ଙ୍କ ଦିଗପହଣ୍ଡି ଗସ୍ତ ଚୂଡାନ୍ତ ହୋଇଥିବାରୁ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ଏବଂ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ନିମନ୍ତେ ସ୍ଥିର କରାଯାଇଛି। ଜିଲା ଜଜ ଙ୍କ ପରିଦର୍ଶନ ସମୟରେ ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ,ଉପସଭାପତି ଗିରିଜା ନନ୍ଦନ ମେକାପ,ସମ୍ପାଦକ କୁରେଶୁ ପଣ୍ଡା,ଆଇନଜୀବି ସୂର୍ଯ୍ୟ ନାରାୟଣ ସାହୁ,ରସାନନ୍ଦ ରାଉତ, ସମେଶ୍ୱର ରାଓ, ନୀଳମାଧବ ରଥ,ଅଶେଷ ନାଥ ମିଶ୍ର,ସନ୍ତୋଷ କୁମାର ସାହୁ,ବିଜୟ କୁମାର ପ୍ରଧାନ,ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି,ନକୁଳ ପ୍ରଧାନ ଏବଂ କୋର୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ପରେ ଜିଲା ଜଜ ଦିଗପହଣ୍ଡି କୋର୍ଟ ପରିସରରେ ପହଞ୍ଚି ସବ୍ ଜଜ କୋର୍ଟ ନିମନ୍ତେ ଅସ୍ଥାୟୀ କୋଠା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଏବଂ କୋର୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।