ଗଜପତିର କାଶୀନଗର ବଂଶଧାରା ନଦୀରେ ପଥର ବନ୍ଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଓ ଏନଏସିକୁ ନେଇ କାଶୀନଗର ସହର ଗଠିତ ହୋଇଛି. କାଶୀନଗର ସହର ପାର୍ଶ୍ଵରେ ବଂଶଧାରା ନଦୀ ପ୍ରବାହିତ ହେଉଛି, ହେଲେ ଆସ୍ତେ ଆସ୍ତେ ଏହି ନଦୀ କାଶୀନଗର ପାଇଁ ଦୁଃଖ ପାଲଟି ଯାଇଛି | ଲଗାତାର ବର୍ଷା ଯୋଗୁ ବିଭିନ୍ନ ସମୟରେ ବଂଶଧାରା ନଦୀର ଗତିପଥ ପରିବର୍ତନ ହେବାରେ ଲାଗିଛି. କାଶୀନଗର ସହର ଠାରୁ ମାତ୍ର ୫୦ ମିଟର ଦୂରରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ପଥରବନ୍ଧ ଓ ଆନିକଟ ନିର୍ମାଣ ପାଇଁ ଗତ୨ ବର୍ଷ ଧରି ଦାବି ଅନୁରୋଧ ବିଭିନ୍ନ ଆନ୍ଦୋଳନ ସତ୍ୱେ ନିର୍ମାଣ ହୋଇପାରୁନାହିଁ. ବିଗତ ୧୯୮୦ ମସିହାରେ ପ୍ରଳୟଙ୍କାରୀ ବନ୍ୟାରେ କାଶୀନଗର ଅଞ୍ଚଳରେ ବନ୍ୟାର ତାଣ୍ଡବରେ ବହୁ ଧନ ଜୀବନର କ୍ଷୟକ୍ଷତି ଘଟିଥିଲା. ଆଗାମୀ ଦିନରେ ୧୯୮୦ ଭଳି ପ୍ରଳୟଙ୍କରୀ ବନ୍ୟା ଦେଖା ଦେଲେ କାଶୀନଗର ସହର ବଂଶଧାରା ନଦୀରେ ଲୀନ ହେବା ନିଶ୍ଚିତ ବୋଲି ଅଞ୍ଚଳବାସି ଅଭିଯୋଗ କରି ପଥର ବନ୍ଧ ଓ ଆନିକଟ ନିର୍ମାଣ ପାଇଁ ଦାବି କରିଛନ୍ତି. କାଶୀନଗର ଅଞ୍ଚଳର ବୁଦ୍ଧିଜୀବୀ, ଚାଷୀ ଓ ସଚେତନ ନାଗରିକ ପ୍ରଶାନ୍ତ ମିଶ୍ର, ରାମ ପ୍ରସାଦ ପଟ୍ଟନାୟକ, ନଳିନୀକାନ୍ତ ପାତ୍ର, ମୀନା ଲେଙ୍କା, ଭି. ଚଲପତି, ନୀଳକଣ୍ଠ ଲେଙ୍କା ପ୍ରମୁଖ ଦର୍ଶାଇଛନ୍ତି ଯେ, ବଂଶଧାରା ନଦୀ ସୁଦୂର କଳାହାଣ୍ଡି ଜିଲ୍ଲାରୁ ପ୍ରବାହିତ ହୋଇଛି ୩୫୦ କିମି ଦୂର ପ୍ରବାହିତ ହୋଇ କଳିଙ୍ଗ ପାଟଣା ଠାରେ ସମୁଦ୍ରରେ ମିଶିଛି | ଓଡିଶା ସରକାର କାଶୀନଗର ଅଞ୍ଚଳରେ କେବଳ କିଛିଟା ଉଠା ସେଚ ପ୍ରକଳ୍ପ ନିର୍ମାଣ କରି ବାହା ବାହା ନେଉଥିବାବେଳେ କାଶୀନଗର ଠାରୁ ୭୦କିମି ଦୂରରେ ଆନ୍ଧ୍ରର ହିରମଣ୍ଡଳ ଠାରେ ଗୋଟା ବ୍ୟାରେଜ ନାମରେ ଆନ୍ଧ୍ର ସରକାର ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି.ଏହି ଜଳ ପ୍ରକଳ୍ପ ଦ୍ୱାରା ଆନ୍ଧ୍ରର ହଜାର ହଜାର ଚାଷ ଜମିକୁ ବର୍ଷ ସାରା ଜଳ ସେଚନ କରାଯାଇ ବର୍ଷସାରା ଲଗାତାର ଭାବେ ବିଭିନ୍ନ ସୁନାର ଫସଲ ଆଦାୟ କରାଯାଉଛି. ଏଥିସହ ଶହଶହ ଗ୍ରାମର ଲୋକଙ୍କୁ ପାନୀୟ ଜଳ ଯୋଗାଉଛି ଏହି ପ୍ରକଳ୍ପ. ହେଲେ ଓଡିଶା ସରକାର ଚୁପ ରହିବା ନୀତିରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଯଦିଓ ଓଡିଶା ସରକାର ଆନ୍ଧ୍ର ଭଳି ଏକ ପ୍ରକଳ୍ପ ନିର୍ମାଣ କରିଥାନ୍ତେ ତାହାହେଲେ ଓଡ଼ିଶାର ଗଜପତି ଜିଲ୍ଲା ଏବଂ ରାୟଗଡ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ କେବେବି ମରୁଡି ଦେଖାଦେଇନଥାନ୍ତା. ଏଥିସହ ସମସ୍ତ ଗ୍ରାମକୁ ପିଇବା ପାଣି ଅତି ସୁବିଧାରେ ଯୋଗାଣ ହୋଇଥାନ୍ତା. ବର୍ତ୍ତମାନ ଆନ୍ଧ୍ରର ପ୍ରକଳ୍ପ ବର୍ଷା ଦିନେ ଗେଟ ବନ୍ଦ କରି ଜଳକୁ ସଂରକ୍ଷଣ କରିବା ଯୋଗୁ ବଂଶଧାରା ନଦୀର ଜଳ ସମୁଦ୍ରରେ ମିଶି ନ ପାରି ଓଡ଼ିଶାର କାଶୀନଗର ଓ ଗୁଣୁପୁର ଅଞ୍ଚଳରେ ବନ୍ୟା ଦେଖା ଦେଉଛି. ଖରାଦିନେରେ ବଂଶଧାରାର ପାଣି ଦ୍ୱାରା ଆନ୍ଧ୍ର ଖରାଟିଆ ଚାଷ ଅତି ସୁବିଧାରେ କରୁଥିବା ସହ ଜଳ କ୍ଲିଷ୍ଟ ସମସ୍ତ ଗ୍ରାମକୁ ଖରାଦିନରେ ୨ ଓଳି ପିଇବା ପାଣି ଯୋଗାଉଛି ଆନ୍ଧ୍ର. ୧୯୮୦ ମସିହା ପ୍ରବଳ ବନ୍ୟାରେ ଓଡିଶାର ତଥା କାଶୀନଗରର ବହୁ ଧନ ଜୀବନ ନଷ୍ଟ ହୋଇଥିଲା | ଏବେ ଚଳିତ ବର୍ଷ ନଦୀଟି ସହରର ଅତି ନିକଟ ଅର୍ଥାତ ୫୦ ମିଟର ଠାରୁ ୧୦୦ ମିଟର ବ୍ୟବଧାନରେ ରହିଛି, ପ୍ରତ୍ୟେକ ଦିନ ନଦୀ ହୁଡ଼ା ଭାଙ୍ଗି ଭାଙ୍ଗି ସହର ମଧ୍ୟରେ କେତେବେଳେ ପଶିଯିବ ତାହା କହିବା ମୁସ୍କିଲ. ଇଦୁଡ଼ି ଠାରୁ ନୂଆ କାଶୀନଗର ଭିତରେ ବଂଶଧାରା ନଦୀ ଅବବାହିକାରେ ଅନେକ ହୁଗୁଳା ପୋଲ ରହିଛି, ଏଣୁ ତୁରନ୍ତ ପଥର ବନ୍ଧ ଓ ଆନିକଟ ନିର୍ମାଣ ନ ହେଲେ କାଶୀନଗର ସହରଟି ବଂଶଧାରା ନଦୀ ଗର୍ଭରେ ଲୀନ ହେବ. ଅଞ୍ଚଳବାସି ଏନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି, ଏଣୁ ବେଳ ଥାଉ ଥାଉ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ