ଅତ୍ୟାଧୁନିକ ରଙ୍ଗୀନ ବିଦ୍ୟୁତ ଆଲୋକ ପାଇଁ ମାଟି ଦୀପ ର ଚାହିଦା କମୁଛି
ନିମାପଡ଼ା, (ସନ୍ତୋଷ ଦାସ):ଆଉ ମାତ୍ର କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟ ର ଏହି ପର୍ବ।ଘରେ ମାଟି ଦୀପ ଲଗାଇ ଏହିଦିନ ଅନ୍ଧାରକୁ ଦୂର କରାଯାଇଥାଏ। କିନ୍ତୁ ଏବେ ଲୋକ ମାନେ ମାଟି ଦୀପ ବଦଳରେ ବିଦ୍ୟୁତ ର ଅତ୍ୟାଧୁନିକ ରଙ୍ଗୀନ ଆଲୋକ କୁ ବ୍ୟବହାର କରିବାକୁ ମନ ବଳାଉ ଥିବାରୁ କୁମ୍ଭକାର ମାନେ ତିଆରି କରୁଥିବା ମାଟି ଦୀପ ସେତେ ପରିମାଣ ରେ ବିକ୍ରୀ ହୋଇ ପାରୁନାହିଁ। କୁମ୍ଭକାର ଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ପଡୁଛି। ମାଟି ପାତ୍ର ର ବ୍ୟବହାର କମି କମି ଯାଉଥିବାରୁ କୁମ୍ଭକାର ଘର ର ଯୁବପୀଢ଼ି କୌଳିକ ବୃତ୍ତି କୁ ପରିତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଯୋଗେଶ୍ୱରପୁର ମୁଦୁଲି ସାହି ର କୈଳାସ ମୁଦୁଲି ଓ ସଂଗ୍ରାମ ମୁଦୁଲି। ଆଧୁନିକତାର ଚାକଚକ୍ୟ ରେ ହଜିଯାଉଛି ମାଟିଦୀପ ର ଚାହିଦା। ଯାହାକୁ ନେଇ ଚିନ୍ତାରେ ଏବେ ନିମାପଡ଼ା, କାକଟପୁର, ନିଆଳି ନିର୍ବାଚନ ମଣ୍ଡଳୀ ର ଶତାଧିକ ମାଟି ଦୀପ କାରିଗର ପରିବାର।ସହର ହେଉ କିମ୍ବା ଗାଁରେ ବସବାସ କରୁଥିବା ଲୋକ ଏବେ ମାଟି ଦୀପ ବଦଳରେ ବିଦ୍ୟୁତ ଆଲୋକ,ଟେରାକୋଟା, ପ୍ଲାଷ୍ଟିକ ଦୀପ ବ୍ୟବହାର କରୁଛନ୍ତି।ଫଳରେ କୁମ୍ଭକାର ପରିବାର ବେଉସା ହରାଉଛନ୍ତି। ମାଟି ଦୀପ କାରିଗର ମାନେ ଦୀପାବଳି ପାଇଁ ତିଆରି କରୁଛନ୍ତି ଭଳିକି ଭଳି ମାଟି ଦୀପ । ତେବେ ସବୁ ଦୀପ ଯେ ବିକ୍ରୀ ହୋଇ ଯିବ ସେ ଦିଗରେ ଆଶଙ୍କା ସୃଷ୍ଟି ହୋଇଛି। ସରକାର କୁମ୍ଭକାର ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ପ୍ରତି ପଞ୍ଚାୟତ ରେ ହାତ ତିଆରି ସାମଗ୍ରୀ ବିକ୍ରୀ କରିବାର ସୁବ୍ୟବସ୍ଥା କରିପାରିଲେ ମାଟି ଦୀପ ବିକ୍ରୀ ବୃଦ୍ଧି ପାଇବ ଓ ଏହାକୁ ତିଆରି କରୁଥିବା ପରିବାର ନିଜ ଗୁଜୁରାଣ ମେଣ୍ଟାଇପାରନ୍ତେ।