ଇପିଏଫ୍ ପେନସନ୍ଭୋଗୀଙ୍କ ଦେଶବ୍ୟାପୀ ପ୍ରତିବାଦ ଦିବସ ନଭେମ୍ବର ୧୬
ବାଲେଶ୍ୱର, (ସରୋଜ ପଣ୍ଡା) : ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଆହ୍ୱାନକ୍ରମେ ଚଳିତ ନଭେମ୍ବର ମାସ ୧୬ ତାରିଖ, ଗୁରୁବାର ଦିନ ରାଜ୍ୟବ୍ୟାପୀ ଦାବି ଦିବସ ପାଳନ ହେବ । ବାଲେଶ୍ୱର ଜିଲ୍ଲା କମିଟିର ବୈଠକ ବୁଧବାର ଦିନ ପୂର୍ବାହ୍ନରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇ ଏହି ପ୍ରତିବାଦ ଦିବସକୁ ବାଲେଶ୍ୱର ଜିଲ୍ଲାରେ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଯୋଗଦେଇ ଗତ ୧୯୯୫ ମସିହାରୁ ଇପିଏଫ୍ ପେନସନ୍ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀମାନେ ମାସିକ ସ୍ୱଳ୍ପ ପେନସନ୍ରେ ଚଳିବା କଷ୍ଟକର ହେଉଛି ବୋଲି କହିଥିଲେ । ତେଣୁ ଦେଶବ୍ୟାପୀ ପ୍ରାୟ ୭୦ ଲକ୍ଷ ଇପିଏଫ୍ ପେନସନ୍ଭୋଗୀ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଥିବାର ଶ୍ରୀ ପାଣିଗ୍ରାହୀ କହିଥିଲେ ।ସର୍ବନିମ୍ନ ମାସିକ ପେନସନ୍ ନଅ ହଜାର ଟଙ୍କା, ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଅନୁଯାୟୀ ବର୍ଦ୍ଧିିତ ପେନସନ୍, ମହଙ୍ଗା ଭତ୍ତା ଓ ସରକାରୀ ଚିକିତ୍ସା ବୀମା ପ୍ରଦାନ ଦାବିରେ ଦେଶବ୍ୟାପୀ ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ‘ଦାବି ଦିବସ’ ଭାବେ ପେନସନ୍ଭୋଗୀ କର୍ମଚାରୀମାନେ ପାଳନ କରିଆସୁଛନ୍ତି । ଉକ୍ତ ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ । ବାଲେଶ୍ୱର ଜିଲ୍ଲାର ସମସ୍ତ ଇପିଏଫ୍ ପେନସନ୍ଭୋଗୀ ତଥା ଆସୋସିଏସନ୍ର ସଭ୍ୟ ଓ ସଭ୍ୟାମାନେ ଦିନ ୧୦ଟା ସୁଦ୍ଧା ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ôଚବାକୁ ବୈଠକରେ ଅନୁରୋଧ କରାଯାଇଛି । ଆସନ୍ତା ଡିସେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀ ସମାବେଶରେ ଯୋଗ ଦେବାକୁ ପ୍ରତିନିଧି ମନୋନୟନ କରାଯାଇଛି । ବୈଠକରେ କୋଷାଧ୍ୟକ୍ଷ ଜଳଧର ପଣ୍ଡା ଆୟବ୍ୟୟର ହିସାବ ଆଗତ କରିଥିଲେ । ଆସୋସିଏସନ୍ର ସଭ୍ୟସଂଖ୍ୟା ବୃଦ୍ଧି ପାଇଁ ସମସ୍ତ କର୍ମକର୍ତ୍ତା ଆଞ୍ଚଳିକ ସ୍ତରରେ ଉଦ୍ୟମ କରିବାକୁ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ଇଂ. ହିମାଦ୍ରିଶେଖର ରାୟ, ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ଭୂପତି ଭୂଷଣ ଦାସ, ପରମେଶ୍ୱର ପାତ୍ର, ହରେକୃଷ୍ଣ ବେହେରା, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଜଗନ୍ନାଥ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମନ୍ମଥ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।