ଶିବନାରାୟଣପୁର କେନାଲ ରାସ୍ତା ପରିଦର୍ଶନ କଲେ ଅଧିକ୍ଷଣ ଯନ୍ତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ଚୋରଗଡିଆ-ଶିବନାରାୟଣପୁର ଓ ଆମ୍ବଗଡିଆ-ବଞ୍ଚୋ ମାଉସୀମା ମନ୍ଦିର, ଭାୟା ନାଇକ ସାହି କେନାଲ ବନ୍ଧ ରାସ୍ତା ପରିଦର୍ଶନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶରତ କୁମାର ରାଉତ । ଚୋରଗଡିଆ-ଶିବନାରାୟଣପୁର କେନାଲ ରାସ୍ତାଟି ପରିତ୍ୟକ୍ତ ହୋଇ ପଡିଥିବାରୁ ଏହା ଉପରେ ନିର୍ଭର କରୁଥିବା ଶିବନାରାୟଣପୁର, ଆଡହୁରିଆ, ମୁଗୁପୁର ଆଦି ଗ୍ରାମର ହଜାର ହଜାର ଲୋକ ଯାତାୟତ କ୍ଷେତ୍ରରେ ଅସୁବିଧା ଭୋଗ କରୁଥିଲେ । ସେହିପରି ଆମ୍ବଗଡିଆ ରୁ ବଞ୍ଚୋ ମାଉସୀମା ମନ୍ଦିର, ଭାୟା ନାଇକ ସାହି କେନାଲ ବନ୍ଧ ରାସ୍ତା ନିର୍ମାଣ ହୋଇ ନଥିବାରୁ ବଞ୍ଚୋ ନାଇକ ସାହିର ଲୋକମାନେ ଅସୁବିଧା ଭୋଗ କରୁଥିଲେ । ଗ୍ରାମବାସୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଏ ସମ୍ପର୍କରେ ଆନନ୍ଦପୁର ୁପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ଜଳସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରିଥିଲେ । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ଦୁଇଟିକୁ ହାତକୁ ନେଇ ୧୧କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଫାଇଲନଂ-୨୮୫୪୧୬୦୦୨୭୨୦୨୩ ତା ୬/୧୧/୨୦୨୩ରେ ଆନନ୍ଦପୁର ଡିଭିଜନକୁ ଜଣାଇ ଟେଣ୍ଡର ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଆମ୍ବଗଡିଆ ରୁ ବଞ୍ଚୋ ମାଉସୀମା ମନ୍ଦିର କେନାଲ ବନ୍ଧ ରାସ୍ତା ପାଇଁ ୬କୋଟି ୮ଲକ୍ଷ ୪ହଜାର ଟଙ୍କା ଯୋଗାଇ ଦେଇଥିବାବେଳେ ଚୋରଗଡିଆ-ଶିବନାରାୟଣପୁର କେନାଲବନ୍ଧ ରାସ୍ତା ପାଇଁ ୫କୋଟି ୬ଲକ୍ଷ ୭୦ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣଯନ୍ତ୍ରୀ ଶରତ କୁମାର ରାଉତ ଓ ହାଟଡିହି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ଏହି ଦୁଇଟି ରାସ୍ତା ଅନୁଧ୍ୟାନ କରି ଖୁବ ଶିଘ୍ର ଟେଣ୍ଡର ପ୍ରକ୍ରୀୟା କରିବାକୁ କହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ରାସ୍ତା ଅନୁଧ୍ୟାନ ସମୟରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପ୍ରଭାକର ଖଣ୍ଡା, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ପ୍ରୀୟବ୍ରତ ନାୟକଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ରାସ୍ତା ଦୁଇଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଯାଇ ନୁତନ ରାସ୍ତା ନିର୍ମାଣ ହେଉଥିବା ଜାଣି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।