ଭାରତ ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ,“କଲ୍‌ଚରାଲ୍ ଫ୍ୟୁଜନ୍‌”ର ଉଦ୍‌ଯାପନୀ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍କାଉଟସ୍ ଓ ଗାଇଡ଼୍‌ସ ସଂସ୍ଥାର ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ଶାଖା ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ସଂସ୍ଥା ଦ୍ୱାରା ବିଗତ ଚାରିଦିନ ହେଲା ୧୬ଟି ଜିଲ୍ଲାର ୬୦୦ ସ୍କାଉଟ୍ ଗାଇଡ଼୍ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା “କଲ୍‌ଚରାଲ୍ ଫ୍ୟୁଜନ୍‌” କାର୍ଯ୍ୟକ୍ରମର ଆଜି ହେଉଛି ଉଦ୍‌ଯାପନୀ ଦିବସ । ଆଜି ସକାଳ ୬.୩୦ମି. ସମୟରେ ସ୍କାଉଟ୍ ଗାଇଡ଼୍ ମାନେ ଏରୋବିକ୍ ନୃତ୍ୟ ଏବଂ ସୂର୍ଯ୍ୟନମସ୍କାର କରିଥିଲେ । ପରେ ପରେ ପ୍ଲାଷ୍ଟିକ୍ ମୁକ୍ତ ସଚେତନ ଉପରେ ଆଧାରିତ “ନୁକଡ଼ ନାଟକ” ସ୍କାଉଟ୍ ଗାଇଡ଼୍ ମାନଙ୍କ ଦ୍ୱାରା ୪ନଂ ମାର୍କେଟ୍ ଅଂଚଳରେ ପ୍ରଦର୍ଶନ କରିଥିଲେ । ସ୍କାଉଟ୍ ଗାଇଡ଼୍ ପିଲାମାନଙ୍କର ଚିତ୍ତାକର୍ଷକ ଅଭିନୟ ଲୋକମାନଙ୍କୁ ବହୁ ଆକର୍ଷିତ କରିଥିଲା । ଭୁବନେଶ୍ୱର ମାନ୍ୟବର ବିଧାୟକ ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍‌ସ୍‌ର ଉପସଭାପତି ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ କର୍ପୋରେଟର୍ ଶ୍ରୀମତୀ ଅଲିଅଳି ମିଶ୍ର ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ୪ନଂ ମାର୍କେଟ୍‌ର ସମସ୍ତ ଦୋକାନୀମାନଙ୍କୁ ନେଇ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ପାଇଁ ଶପଥପାଠ କରାଇଥିଲେ । ସେଠାରେ ଉପସ୍ଥିତ ଦର୍ଶକ ଏବଂ ଦୋକାନୀମାନଙ୍କୁ ସ୍କାଉଟ୍ ଗାଇଡ୍ ତରଫରୁ କପଡ଼ା ବ୍ୟାଗ୍ ବ୍ୟବହାର କରିବା ପାଇଁ ପ୍ରଦାନ କରି ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ କରିବାକୁ ଜନସଚେତନ କରାଯାଇଥିଲା ।ଅପରାହ୍ନରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, ଆଇଏଏସ୍ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍କାଉଟ୍ ଗାଇଡ଼୍ ମାନଙ୍କର ଭବିଷ୍ୟତ ସଫଳତା ପାଇଁ ଉଦ୍‌ବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ହସ୍ତକଳା ପ୍ରତିଯୋଗିତା, ଆଂଚଳିକ ଖାଦ୍ୟ, ଦଳଗତ ନୃତ୍ୟ ପ୍ରତିଯୋଗିତା, ଶାରୀରିକ ପ୍ରଦର୍ଶନୀ ପ୍ରତିଯୋଗିତା, ସ୍ୱଚ୍ଛତା କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇଥିଲା । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବିଜେତାମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତତ୍‌ପରେ ସ୍କାଉଟ୍ ଗାଇଡ଼୍‌ମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ରାଜ୍ୟ ସଂସ୍ଥାର ସମସ୍ତ କର୍ମକର୍ତ୍ତାମାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିଲା । ଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିର ତା୭.୧୧.୨୦୨୩ରିଖ ଦିନ ମାନ୍ୟବର ମନ୍ତ୍ରୀ ତଥା ଭାରତ ସ୍କାଉଟସ୍ ଓ ଗାଇଡ଼ସ୍‌ର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦ୍‌ଘାଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ