ଜୋନ୍ ସ୍ତରୀୟ କଳା ଉତ୍ସବ- ୨୦୨୩ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳା ପ୍ରତିଭାକୁ ଅଧିକ ସୁଦୃଢ଼ କରିବା ପାଇଁ ବାଲେଶ୍ୱର ସଦର ମହକୁମାସ୍ଥିତ ବାଲେଶ୍ୱର ଜିଲ୍ଲା ସ୍କୁଲଠାରେ ଆଜି ଜୋନ୍ ସ୍ତରୀୟ କଳା ଉତ୍ସବ- ୨୦୨୩ ଅନୁଷ୍ଠିତ ହୋଇଯାଇଛି I ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ବାଲେଶ୍ୱର ଜୋନ୍ ଅଧୀନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ Iଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧରଣୀଧର ପାତ୍ର ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ ଏବଂ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ I ଏଥି ସହିତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୂର୍ଯ୍ୟ ଶିକ୍ଷା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ I ବାଳକ ଓ ବାଳିକା ଉଭୟ ବର୍ଗରେ ଶାସ୍ତ୍ରୀୟ ଏବଂ ଲୋକ ସଂଗୀତ, ବାଦ୍ୟଯନ୍ତ୍ର, ଶାସ୍ତ୍ରୀୟ ଏବଂ ଲୋକ ନୃତ୍ୟ, ଭିଜୁଆଲ୍ ଆର୍ଟ, ସ୍ୱଦେଶୀ ଖେଳନା ତିଆରି, ନାଟକ, ଏକକ ଅଭିନୟ ଭଳି ୧୦ଟି ସ୍ପର୍ଦ୍ଧାରେ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ I ସଭା ଶେଷରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା I