ବେଆଇନ ଗଛିତ ଥିବା ୪ଲକ୍ଷ ଟଙ୍କାର ବାଣ ଜବତ ଜଣେ ଅଟକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ବିନା ଲାଇସେନ୍ସରେ ଏବଂ ବେଆଇନ ଭାବେ ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ଜନୈକ ବାଣ ବ୍ୟବସାୟୀକୁ ଟାଉନ ଥାନା ପୋଲିସ ପକ୍ଷରୁ ଥାନାରେ ଅଟକ ରଖାଯାଇଥିବା ବେଳେ ପ୍ରାୟ ୪ଲକ୍ଷ ଟଙ୍କାର ବାଣ ତାଙ୍କ ଘରୁ ପୋଲିସ ଜବତ କରିଥିବା ସୂଚନା ମିଳିଛି । ସଂପୃକ୍ତ ବ୍ୟବସାୟୀ କେନ୍ଦ୍ରାପଡା ସହରସ୍ଥ ନସଡିପୁର ଗ୍ରାମର ବିଜେନ୍ଦ୍ର ବେହେରା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଦୀପାବଳି ନିମନ୍ତେ ବିଜେନ୍ଦ୍ର ତାଙ୍କ ନସଡିପୁରସ୍ଥିତ ବାସଭବନରେ ପ୍ରାୟ ୪ଲକ୍ଷ ଟଙ୍କାର ବାଣ ଗଚ୍ଛିତ ରଖିବା ସହିତ ଲାଇସେନ୍ସ ପାଇଁ ଜିଲ୍ଲା ପ୍ରଶାସନକୁ ଆବେଦନ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ବର୍ଷ ଭଳି ସମସ୍ତଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ଜିଲ୍ଲାପାଳ ବୁଧବାର ମନା କରିଦେଇଥିଲେ । ଏହାବ୍ୟତିତ ଦୀପାବଳିରେ ବାଣ ନଫୁଟାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେଣୁ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ପକ୍ଷରୁ ବାଣ ବ୍ୟବସାୟୀ ବିଜେନ୍ଦ୍ରଙ୍କ ଘର ଉପରେ ଗୁରୁବାର ପୂର୍ବାହ୍ନରେ ଚଢାଉ କରାଯାଇ ଗଛିତ ବାଣକୁ ଜବତ କରାଯିବା ସହ ସଂପୃକ୍ତ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଟାଉନ ଥାନା ପକ୍ଷରୁ ଦାୟୀତ୍ୱରେ ଥିବା ସଦର ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ବିନା ଅନୁମତିରେ ବାଣ ଗଛିତ ରଖିଥିବା ବାଣ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଦୀପାବଳିରେ ବାଣ ବ୍ୟବହାର ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।