ଓଡଗାଁ ଏନ୍ଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କ ବୋଲେରୋ ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ) : ଗତକାଲି ଅପରାହ୍ଣରେ ଓଡଗାଁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ବୋଲେରୋ ଏକ ମୋଟରସାଇକେଲ୍ କୁ ଧକ୍କା ଦେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ I ସେଥି ମଧ୍ୟରୁ ଜଣେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତକାଲି ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ OD02BR6138 ନମ୍ବର୍ ବିଶିଷ୍ଟ ବୋଲେରୋ କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ଅପରାହ୍ଣ ପ୍ରାୟ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ରାଜନପଲ୍ଲୀ ଗ୍ରାମର ଗୋବିନ୍ଦ ଡାକୁଆ (60) ଏବଂ ମୁନା ପ୍ରଧାନ (35) ଯାଉଥିବା OD07D0856 ନମ୍ବର୍ ବିଶିଷ୍ଟ ବଜାଜ୍ ଡ଼ିସକଭରୀ ମୋଟରସାଇକେଲ୍ ସହ ବେଲଗୁଣ୍ଠା ତହସିଲ୍ ଛକ ନିକଟରେ ଓଡଗାଁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ବୋଲେରୋ ଧକ୍କା ହୋଇଥିଲା I ଫଳରେ ଉଭୟ ଗୋବିନ୍ଦ ଏବଂ ମୁନା ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I ଉଭୟ ଗୋବିନ୍ଦ ଏବଂ ମୁନାର ମୁଣ୍ଡ,ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା I ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୁନାଙ୍କର ମୃତ୍ୟୁ ଘଟିଥିଲା I ଆଜି ମୁନାଙ୍କ ଶବ ବ୍ୟବଚ୍ଛେଦ ହୋଇ ଗାଆଁରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା I ଗ୍ରାମ ଶ୍ମଶାନରେ ମୁନାଙ୍କର ଶବ ସଂସ୍କାର କରାଯାଇଛି I