ସ୍ୱଚ୍ଛ ଓ ସବୁଜ ଦୀପାବଳି ପାଇଁ ଆହ୍ୱାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ଦୀପାବଳିର ଅବ୍ୟବହିତ ପୂର୍ବରୁ ବିଭିନ୍ନ ରଙ୍ଗ ବେରଙ୍ଗର ବେଲୁନ୍କୁ ନେଇ ପରିବେଶବିତ୍ ସୁଶାନ୍ତ ସାହୁ ଦୀପାବଳିକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ସ୍ୱଚ୍ଛ ଓ ସବୁଜ ଦୀପାବଳିର ଏକ ନିଆରା ବାର୍ତ୍ତା ଦେଇଛନ୍ତି । ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସୁଶାନ୍ତ ଇକୋ-ଫ୍ରେଣ୍ଡଲି ଦୀପାବଳିର ଉପାଦେୟତାକୁ ସେ ବେଲୁନ୍ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।“ସେ ନୋ ଟୁ କ୍ରାକର୍ସ”କୁ ସମର୍ଥନ କରି ଶ୍ରୀ ସାହୁ କୁହନ୍ତି ଦେଶର ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଦୀପାବଳି ସମୟରେ ହିଁ ହୋଇଥାଏ । ପରିବେଶକୁ ବ୍ୟାପକ କ୍ଷତାକ୍ତ କରିଥାଏ ବାଣ । କେବଳ ଯେ ଏହା ପରିବେଶକୁ କ୍ଷତି କରି ନଥାଏ, ପରିବେଶ ସହ ମନୁଷ୍ୟର ସ୍ୱାସ୍ଥ୍ୟ ଓ ଜୀବନଯାପନ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କାନ ଓ ଆଖିକୁ ତୃପ୍ତ କରିବା ପାଇଁ ଆଜି ମଣିଷ ପାଖରେ ଶହ ଶହ ମାଧ୍ୟମ ରହିଛି । ଏଭଳି ଉତ୍ସବ ପାଳନ ବାହାନାରେ ଆମେ ଅନାବଶ୍ୟକ ଭାବେ ପ୍ରଦୂଷଣ ବୃଦ୍ଧି କରିଚାଲିଛେ । ଆମେ ଲାଭ କରୁଛେ କି କ୍ଷତି କରୁଛେ ତାହା ଗୁରୁତର ସହ ସମସ୍ତେ ବିଚାର କରିବାର ସମୟ ଆସିଯାଇଛି । ନିକଟରେ ଦୀପାବଳିରେ ମାନ୍ୟବର ସୁପ୍ରିମ୍ କୋର୍ଟ ବାଣ ଫୁଟା ଓ ବାଣର ବ୍ୟବହାର ଉପରେ କଠୋର କରିବା ପରେ ପରିବେଶବିତ୍ଙ୍କ ଭିତରେ ସ୍ୱାଭାବିକ ଆନନ୍ଦ ପ୍ରକାଶ ପାଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ସମଗ୍ର ଦେଶ ପାଇଁ ଏକ ଆହ୍ୱାନ । ବେଳ ହୁଁ ସାବଧାନ ହେବା ଜରୁରୀ । ଏଣୁ ଦୀପାବଳିରେ ବାଣ ବ୍ୟବହାର ନକରି ବାଣ ବଦଳରେ ବେଲୁନ୍ ଫୁଟାନ୍ତୁ ଏବଂ ଦୀପାବଳି ଉତ୍ସବ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖନ୍ତୁ । ଯାହାକି ଏକ ସବୁଜ ସୁନ୍ଦର ପରିବେଶ ତିଆରିରେ ବେଶ୍ ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସୁଶାନ୍ତଙ୍କ ଏହି ସ୍ୱଚ୍ଛ ଓ ସବୁଜ ଦୀପାବଳିର ନୂତନ ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।