ଅଧିକାରୀ ବିହୀନ ହୋଇପଡିଛି ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ୩ମାସ ଧରି ଅଧିକାରୀ ପଦବୀ ଖାଲି ପଡ଼ିଛି। ଏପରିକି ଦାୟିତ୍ୱରେ ଥିବା ବିଡ଼ିଓ ଙ୍କ ମାସେ ହେଲା ବଦଳି ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କାହାକୁ ଦାୟିତ୍ୱ ହସ୍ତାନ୍ତର କରାଯାଇନି। ହାଟଡ଼ିହି ବ୍ଳକ ରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ପ୍ରତିଦିନ କିଛି ନା କିଛି କେନ୍ଦ୍ରରୁ ଅଭିଯୋଗ ଆସୁଛି। ଏହି ବିଭାଗର ସମସ୍ୟା ଶୁଣିବାକୁ କୌଣସି ଅଧିକାରୀ ଦାୟିତ୍ଵରେ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଗତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତିସଭ୍ୟ ମାନେ ମଧ୍ୟ ଏନେଇ ପ୍ରଶ୍ନ ଉଠାଇ ହୋହଲ୍ଲା କରିଥିଲେ। ଏହି ଶିଶୁ ବିକାଶ କାର୍ଯ୍ୟାଳୟର ଅଧିକାରୀ ସରସ୍ଵତୀ ସେଠୀ ଚାକିରିରୁ ଅବସର ନେବା ପରେ ସେହି ଦାୟିତ୍ଵରେ ହାଟଡିହି ବ୍ଲକ ବିଡିଓ ବିନିତା ବିଜୟିନୀ ଦାୟିତ୍ୱରେ ଥିଲେ। ବିଡିଓ ବିନିତା ବିଜୟିନୀ ମାସେ ହେଲା ବଦଳି ହୋଇଯିବା ପରେ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ସିଡିପିଓ ଦାୟିତ୍ଵରେ ନାହାନ୍ତି। ଯାହାକି ମାସାଧିକ କାଳ ବିନା ଅଧିକାରୀରେ ସିଡିପିଓଙ୍କ ଅଫିସ ଚାଲିଛି। ସରକାରଙ୍କ ନିୟମ ଅନୁଯାୟୀ ଅଧିକାରୀ ବଦଳି ହୋଇଗଲେ ବିଡିଓ କିମ୍ବା ବରିଷ୍ଠ ଅଧିକାରୀ ଚାର୍ଜରେ ରହି ଦାୟିତ୍ଵ ତୁଲଲାଇବେ । କିନ୍ତୁ ହାଟଡିହି ଶିଶୁ ବିକାଶ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସରପଞ୍ଚ ଓ ସମିତିସଭ୍ୟ ମାନେ ଦାବି କରିଛନ୍ତି।