ସହଯୋଗର ହାତ ବଢ଼ାଇଲା “ବୁଲ୍ସଆଇ”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁଇଦିନ ତଳେ ଦୁଷ୍କର୍ମର ଶୀକାର ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଭେଟିଛନ୍ତି “ବୁଲ୍ସଆଇ”ର ସମ୍ପାଦକ ତଥା ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ । ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ନାୟକ ପହଞ୍ôଚ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ନିକଟରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଭଲମନ୍ଦ ପଚାରି ବୁଝିଥିଲେ ଏବଂ ପରିବାରକୁ ସମବେଦନା ଜଣାଇବା ସହ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତତ୍ ସହିତ ଅନୁଷ୍ଠାନ ପକ୍ଷରୁ ନଗଦ ଅର୍ଥ ରାଶି ସହ ବସ୍ତ୍ର, ହରଲିକ୍ସ, ବିସ୍କୁଟ, କେକ୍ ଇତ୍ୟାଦି ବାପିନା ପ୍ରଦାନ କରିଥିଲେ । ଦୁଷ୍କର୍ମକାରୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହେଉ ବୋଲି ଶ୍ରୀ ନାୟକ ଏହି ଘଟଣାରେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ବୁଧବାର ରାତିରେ ମହିଳା ଜଣକ ଗାଁ ର ଜଣେ ଲୋକଙ୍କ ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ତାଙ୍କୁ ଏକୁଟିଆ ପାଇ ଜଣେ ଆସାମାଜିକ ବ୍ୟକ୍ତି ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିଲେ । ସକାଳୁ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ଇଟାମାଟି ଥାନାରେ କେସ୍ ନଂ୨୪୫/୨୩ରେ ଏକ ମାମଲା ରୁଜୁ କରିଥିବାର ଜଣାପଡିଛି । “ବୁଲ୍ସଆଇ” ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଦାବୀ କରିଛନ୍ତି ।