ବ୍ୟାଙ୍କରେ ଗଣ୍ଡଗୋଳ ଅଭିଯୋଗରେ ଯୁବକ ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଏକ ବେସରକାରୀ ବ୍ୟାଙ୍କରେ ପଶି ଗଣ୍ଡଗୋଳ କରିବା ଅଭିଯୋଗରେ ଜଣେ ଯୁବକ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଚି । କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀସ୍ଥିତ ଆଇ.ଆଇ.ଏଫ୍‌.ଏଲ.୍ ବେସରକାରୀ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟରତ ଜ୍ଞାନଜ୍ୟୋତି ମହାପାତ୍ରଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ତିନିବର୍ଷ ହେବ କେନ୍ଦ୍ରାପଡା ସହରସ୍ଥିତ ଜଇପୁରା ଗ୍ରାମର ସେକ୍ ମିନୋଜୁଦ୍ଦିନ୍ ବ୍ୟାଙ୍କକୁ ବିଭିନ୍ନ ସମୟରେ ଯାଇ ସହକାରୀ ମ୍ୟାନେଜରଙ୍କୁ ନିଜେ ଜଣେ ଡନ୍ ବୋଲି ଧମକ ଦେଇଥାଏ । ଏଥିସହିତ ତାକୁ ଦାଦାବଟି ଦେବାକୁ ମଧ୍ୟ ସବୁବେଳେ ତାଗିଦ୍ କରେ । ଭୟରେ ସହକାରୀ ମ୍ୟାନେଜର କାହାକୁ କିଛି ନ କହି ଚୁପ୍ ରୁହନ୍ତି । ଗତ ଗୁରୁବାର ସକାଳ ପ୍ରାୟ ୧୦ଟାରେ ସେ ବ୍ୟାଙ୍କ ଭିତରକୁ ପଶି ବ୍ୟାଙ୍କର ସହକାରୀ ପରିଚାଳକ ପ୍ରକୋଷ୍ଠକୁ ଯାଇ ତାଙ୍କୁ ଚାପୁଡା ମାରି ଧମକ ଦେଇଥିଲା ଓ ଖରାପ ଭାଷାରେ ଗାଳିଗୁଲଜ କରିଥିଲା । ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀମାନେ ତାକୁ ସେଠାରୁ ବାହାର କରିଦେଇଥିଲେ । ଅସାମାଜିକ ଯୁବକ ଜଣଙ୍କ ପରିଚାଳକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଟାଉନ ଥାନାରେ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।ଶ୍ରୀ ମହାପାତ୍ର ଆହୁରି ଅଭିଯୋଗ ଜରିଛନ୍ତି ଯେ ମିନୋଜୁଦ୍ଦିନ ପୂର୍ବରୁ ଥରେ ବ୍ୟାଙ୍କ ଭିତରେ ପଶି ବଳପୂର୍ବକ ତାଙ୍କ ଠାରୁ ଏଟିଏମ୍ କାର୍ଡ ଓ ସିକ୍ରେଟ୍ ନମ୍ବର ନେଇ ୭ହଜାର ଟଙ୍କା ଉଠାଇ ନେଇଥିଲା । ଟାଉନ ଥାନା ପୋଲିସ ସେହି ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିବା ସହ ସେକ୍ ମିନୋଜୁଦ୍ଦିନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ