ଡିଆରଡିଓ ରୋଡ୍ରେ ଲୁଟେରାଙ୍କ ରାଜତ୍ୱ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ଵର କୁରୁଡ଼ା ଠାରୁ ଚାନ୍ଦିପୁରର ଡିଆରଡିଓ ପର୍ଯ୍ୟନ୍ତ ପ୍ରତିରକ୍ଷା ବିଭାଗର ଏକ ନୂତନ ରାସ୍ତାରେ ଅନ୍ଧାର ରାତିରେ ଆଖାପାଖ ଗାଁର କିଛି ଅପରାଧୀ ପ୍ରତିଦିନ ଲୋକଙ୍କୁ ଲୁଟ୍ କରୁଥିଲେ । ବିଶେଷକରି ନବବିବାହିତ ଦମ୍ପତି କିମ୍ବା ପ୍ରେମୀଯୁଗଳ ଏହି ନିକାଂଚନ ରାସ୍ତାରେ ଯାତାୟାତ କଲାବେଳେ ସେମାନଙ୍କୁ ବଳପୂର୍ବକ ଅଟକାଇ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଦୀର୍ଘ କିଛିମାସ ହେଲା ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ । ଏପରିକି ସେମାନଙ୍କ ବାଇକ୍, ନଗଦ ଅର୍ଥ, ଫୋନ୍ ଆଦି ଲୁଟି ନେଉଥିଲେ । ତେବେ ଗତ ଅକ୍ଟୋବର ୩୧ ତାରିଖ ରାତିରେ ଜଣେ ମଧ୍ୟବୟସ୍କା ଶିକ୍ଷୟିତ୍ରୀ ଓ ଜଣେ ଟିଭି ମେକାନିକ୍ ଉକ୍ତ ରାସ୍ତାରେ ଛିଡ଼ା ହୋଇଥିବାବେଳେ କିଛି ଯୁବକ ତାଙ୍କୁ ଏଭଳି ବ୍ଲାକ୍ମେଲ୍ କରିଥିଲେ । ଏ ସମ୍ପର୍କରେ ଅପରାଧୀମାନେ ସ୍ଥାନୀୟ ଗାଁ ଲୋକଙ୍କୁ ଡାକି ସେମାନଙ୍କ ଅବୈଧ ସମ୍ପର୍କ ସମ୍ପର୍କରେ ଜଣାଇ ଦେବେ ବୋଲି ଧମକ ଦେବାରୁ ସମ୍ପୃକ୍ତ ମହିଳା ଓ ଯୁବକ ଜଣକ ଅପରାଧୀମାନଙ୍କୁ ଅର୍ଥ ଦେଇ ମୁହଁ ବନ୍ଦ୍ ରଖିବାକୁ କହିଥିଲେ । ତେଣୁ ଅପରାଧୀମାନେ ବାଲିଆପାଳର ଜନୈକ ଯୁବକଙ୍କ ଫୋନ ପେ’ କୁ ୫୦ହଜାର ଟଙ୍କା ପଠାଇବାକୁ କହିଥିଲେ । ଟଙ୍କା ପଠାଇବା ପରେ ଉଭୟ ପୁରୁଷ ଓ ନାରୀ ଜଣକ ସଦର ଥାନାରେ ଏନେଇ ଏତଲା ଦେଇଥିଲେ । ସଦର ଥାନା ପକ୍ଷରୁ କେଶ ନମ୍ବର ୩୩୦/୨୦୨୩ ଏତଲା ମୂଳେ ୩୯୪, ୩୫୪, ୩୯୫, ୨୯୪, ୩୫୪, ୩୫୪-ଏ, ବି, ସି, ଡି ଏବଂ ୫୦୬ ଦଫାରେ ମାମଲା ରୁଜୁ କରିଥିଲା । ପୋଲିସ୍ ତଦନ୍ତ ସମୟରେ ଫୋନ୍ ପେ’ରେ ଟଙ୍କା ପାଇଥିବା ବାଲିଆପାଳର ଯୁବକର ନମ୍ବରକୁ ନେଇ ତନାଘନା ଆରମ୍ଭ କରିଥିଲା। ତା’ପରେ ପୋଲିସ୍ ଜଣେ ନାବାଳକ ସମତେ ମୋଟ୍ ୪ ଜାଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ଅପରାଧୀମାନେ ପ୍ରକୃତ ତଥ୍ୟ ପୋଲିସ୍ ଆଗରେ କହିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ରମେଶ ଦାସ ଓରଫ୍ ଦାଦୁ ଫେରାର ଥିବାବେଳେ ରାଜା ଓରଫ ଦୀପକ ଜେନା, ସରୋଜ ଦାସ ଓରଫ୍ ଗେଣ୍ଡୁଆ, ମିଟୁ ଦାସ, ରବୀନ୍ଦ୍ର ପିଲା, ଛିଣ୍ଡା ସଂଘମୋଲ ଏବଂ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ମୋଟ ଛଅଜଣ ସମ୍ପୃକ୍ତ ଥିବାକଥା ଆଜି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଡଃ ଶଶାଙ୍କ ଶେଖର ବେଉରିଆ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ଫେରାରଥିବା ରମେଶ ଦାସ ଓରଫ୍ ଦାଦୁର ଗ୍ୟାଙ୍ଗ ପୂର୍ବରୁ ଏଭଳି ୨୬ଟି ଲୁଟ୍ ମାମଲାରେ ଜଡ଼ିତ ରହି ଲୋକମାନଙ୍କ ଠାରୁ ଲୁଟ୍ କରୁଥିଲେ ମଧ୍ୟ ମାତ୍ର ଏ ସମ୍ପର୍କରେ ଦୁଇଟି ମାମଲା ଥାନାରେ ରୁଜୁ ହୋଇଛି । ପୂର୍ବରୁ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଦମ୍ପତି ମଧ୍ୟ ଏଭଳି ଅଭିଯୋଗ କରିଥିଲେ । ଆଜିର ସମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେଉରା ଏହି ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଇ କହିଥିଲେ କି, ଆସାମୀଙ୍କ ମୋବାଇଲ ଫୋନ୍ରୁ ମିଳିଥିବା ତଥ୍ୟ ମୁତାବକ ଅନେକ ପୁୁରୁଷ, ନାରୀ ଏବଂ ପ୍ରେମୀଯୁଗଳଙ୍କ ସହ ପୋଲିସ୍ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଲୋକଲଜ୍ୟା ଯୋଗୁଁ ଏତଲା ଦେବାକୁ ଆସୁ ନାହାଁନ୍ତି । ଅଧିକ ଅଭିଯୋଗ ମିଳିଲେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଆଜିର ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ ଜୟନ୍ତ ବେହେରା ଏବଂ ତଦନ୍ତ କାରୀ ଅଧିକାରୀ ପି.କେ. ପାତ୍ର ଉପସ୍ଥିତ ରହିଥିଲେ । ଅପରାଧୀମାନେ ଯୁଧିଷ୍ଠିରପୁର ଗ୍ରାମ ନିକଟରେ ଯାଇଥିବା ଡିଆରଡିଓ ରାସ୍ତାର ଅନ୍ଧାରିଆ ସ୍ଥାନରେ ଏଭଳି ଅପରାଧ ନିୟମିତ ଘଟାଉଥିବାରୁ ପୋଲିସ୍ ଉକ୍ତ ରାସ୍ତାରେ ରାତ୍ରକାଳୀନ ପାଟ୍ରୋଲିଂକ ବଢ଼ାଇଦେଇଛି । ଏହି ଅପରାଧୀଙ୍କ ଘର ପାଛୁଡ଼ିଆ ଓ ହର୍ଷପୁରା ଅଂଚଳର ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେବେ ଯେଉଁ ଯୁବକଙ୍କ ନିକଟକୁ ଫୋନ ପେ’ରେ ଅର୍ଥ ଯାଇଥିଲା, ସେହି ଯୁବକକୁ ପୋଲିସ୍ ଉଠାଇଆଣି ପଚରାଉଚୁରା ପରେ ଛାଡ଼ିଦେଇଛି । ଏହି ଘଟଣାରେ ଗୋଟିଏ ହୋଣ୍ଡା ଏସପି ୧୨୫ ମୋଟରସାଇକେଲ, ୪ଟି ସ୍ମାର୍ଟଫୋନ୍, ଗୋଟିଏ ଲୁହାପାଇପ୍ ଜବତ କରାଯାଇଛି।