୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ବାଲେଶ୍ୱରର ଖୋ-ଖୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) : ଗୋଆର ପାଞ୍ଜିମ୍ ଠାରେ ନିକଟରେ ଶେଷ ହୋଇଥିବା ୩୭ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରୌପ୍ୟ ବିଜୟୀ ଓଡ଼ିଶା ଦଳରେ ଅଂଶଗ୍ରହଣ କରିଥିବା ବାଲେଶ୍ୱରର ଖୋ-ଖୋ ଖେଳାଳିଙ୍କୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । କୋଚ ଶ୍ରୀ ମଳୟ ରଞ୍ଜନ ବେହେରାଙ୍କୁ ମଧ୍ଯ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତତ୍ସହିତ ଜିଲ୍ଲାପାଳ ପ୍ରତ୍ୟେକ କ୍ରୀଡାବିତଙ୍କୁ ୧୦,୦୦୦/- ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶିର ଚେକ୍ ପ୍ରଦାନ କରିଛନ୍ତି। ଖୋ-ଖୋ ଖେଳ ପାଇଁ ବାଲେଶ୍ୱର ସହରରେ ଉନ୍ନତ ମାନର ପଡିଆ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଅର୍ଥ ଓ ଅନ୍ୟ ସହାୟତା ଯୋଗାଇ ଦେବାକୁ ଶ୍ରୀ ଶିନ୍ଦେ କ୍ରୀଡାବିତ ଓ କ୍ରୀଡ଼ା ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି Iଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଙ୍ଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଅଭୟ ମହାପାତ୍ର, ଜିଲ୍ଲା କ୍ରୀଡ଼ାସଙ୍ଘର ଖୋ-ଖୋ ଯୁଗ୍ମ ସମ୍ପାଦକ ତଥା ଓଡ଼ିଶା ଖୋ-ଖୋ ସଂଘର ସହ ସମ୍ପାଦକ ଶ୍ରୀ କାର୍ତିକ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ସଙ୍ଘର ଅବୈତନିକ ସାଧାରଣ ସମ୍ପାଦକ ଶ୍ରୀ ଅଧିପ ଦାସ ତଥା କ୍ରୀଡ଼ାସଙ୍ଘର କର୍ମକର୍ତ୍ତା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଏଠାରେ ସୂଚନା ଥାଉ କି, ମହିଳା ଦଳରେ ବାଲେଶ୍ୱରରୁ ୪ଜଣ କ୍ରୀଡ଼ାବିତ ଓ ପୁରୁଷ ଦଳରେ ୩ଜଣ କ୍ରୀଡ଼ାବିତ ଭାଗ ନେଇଥିଲେ I ତନ୍ମଧ୍ୟରେ ଅଛନ୍ତି ସାବିଲା ଖାତୁନ୍, ପ୍ରିୟଙ୍କା ସିଂ, ରଂଜିତା ବାରିକ, ଚମ୍ପା ମାଝି, ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ ଓ ସିଦେସ୍ୱର ଟୁଡୁ I ଫାଇନାଲରେ ପୁରୁଷ ଦଳ ମହାରାଷ୍ଟ୍ର ଠାରୁ ୭୨-୨୬ ପଏଣ୍ଟରେ ପରାସ୍ତ ହୋଇଥିବା ବେଳେ ମହିଳା ଦଳ ମହାରାଷ୍ଟ୍ର ଠାରୁ ୪୬-୪୦ ପଏଣ୍ଟରେ ପରାସ୍ତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ