ତୁଳସୀ ଚଉରା ମୂଳରେ ଶୋଭା ପାଉଛି ମୁରୁଜ ରେ ଝୋଟି,ଚିତା
ନିମାପଡ଼ା, (ସନ୍ତୋଷ ଦାସ):ଆମ ଓଡ଼ିଆ ସଂସ୍କୃତି ରେ ରହିଛି ବାର ମାସରେ ତେର ପର୍ବ ପର୍ବାଣୀ। ବିଭିନ୍ନ ଓଷା, ପର୍ବ ପର୍ବାଣୀ ଆଦି ମାଙ୍ଗଳିକ କାର୍ଯ୍ୟରେ ଉତ୍କଳୀୟ ପାରମ୍ପରିକ କଳା ର ଝଲକ ଦେଖିବାକୁ ମିଳିଥାଏ। ସେମିତି ଏକ କଳା ହେଉଛି ମୁରୁଜ ରେ ଝୋଟି, ଚିତା। ଧର୍ମମାସ କାର୍ତ୍ତିକ ରେ ପ୍ରାୟ ସବୁ ଓଡ଼ିଆ ଗୃହିଣୀ ବ୍ରାହ୍ମ ମୁହୂର୍ତ୍ତ ରୁ ଶଯ୍ୟା ତ୍ୟାଗ କରି ଶୁଦ୍ଧ ସ୍ନାନ ସାରି ତାଙ୍କ ଗୃହର ପ୍ରବେଶ ପଥ ଓ ତୁଳସୀ ଚଉରା ମୂଳରେ ପଞ୍ଚ ମୁରୁଜ ରେ ଝୋଟି,ଚିତା ପକାଉଥିବା ଦେଖିବାକୁ ମିଳିଥାଏ। କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳି ମାନେ ବିଭିନ୍ନ ମଠ, ମନ୍ଦିର, ଦେବ ମନ୍ଦିର ର ପ୍ରବେଶ ଦ୍ଵାର ଓ ତୁଳସୀ ଚଉରା ମୂଳରେ ମଧ୍ୟ ମୁରୁଜରେ ଝୋଟି, ଚିତା ପକାଇଥାନ୍ତି। ମୁରୁଜ ରେ ବିଭିନ୍ନ ଦେବ ଦେବୀ ମାନଙ୍କ ଚିତ୍ର, ପଶୁ ପକ୍ଷୀ ଙ୍କ ଚିତ୍ର ଦେଖିବାକୁ ମିଳେ। ଯାହା ଦେଖିବାକୁ କେବଳ ସୁନ୍ଦର ନୁହେଁ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରି ଥାଏ। ଏ ସମ୍ପର୍କ ରେ ପଣ୍ତିତ ସୁପ୍ରଭାନୁ ମିଶ୍ର କୁହନ୍ତି ବିଭିନ୍ନ ଯଜ୍ଞ, ହୋମ ପ୍ରଭୁତି ଧାର୍ମିକ ଉତ୍ସବ ରେ ମୁରୁଜ ରେ ଝୋଟି ପକାଇବା ବିଧି ରହିଛି। ଏହି ଝୋଟି କୁ ଦେଖିଲେ ମନ ରେ ଏକ ସକାରାତ୍ମକ ତରଙ୍ଗ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ଓଡ଼ିଆ ପରିବାର ର କୁମାରୀ ଝିଅ ମାନେ ବୟସ୍କ ଙ୍କ ଠାରୁ ଏହି କଳା ଶିକ୍ଷା କରିଥାନ୍ତି। ମୁରୁଜ ରେ ଝୋଟି, ଚିତା ପକାଇବା ପରମ୍ପରା ଓଡ଼ିଆ ସଂସ୍କୃତି ସହିତ ଜଡିତ ହୋଇ ରହିଆସିଛି କାହିଁ କେତେ କାଳରୁ।