କୋଣାର୍କ ରୁ ଅବାଧ ବାଲି ଚାଲାଣ :ବାଲି ମାଫିଆ ମାଲେମାଲ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କୋଣାର୍କ ଏନଏସିର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହି ଚୋରା ବାଲି ଚାଲାଣ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପୋଲିସ, ପ୍ରଶାସନ , ରାଜସ୍ବ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଗତ କିଛି ଦିନ ହେଲା ନବନିର୍ମିତ ରିଙ୍ଗ ରୋଡ କୋଣାର୍କ ଥାନା ପଛ ପାର୍ଶ୍ଵରୁ ରାତି ଅଧିଆ ବାଲି ପ୍ରତିଦିନ ବୁହା ଚାଲିଛି। ଅବାଧରେ ବାଲି ଚାଲାଣ ଯୋଗୁଁ ଏ ଅଞ୍ଚଳ ଏବେ ବାଲି ହ୍ରଦ ସଦୃଶ ଦେଖାଗଲାଣି। କୋଣାର୍କ-ପୁରୀ ବେଳାମାର୍ଗ, ହେଲିପ୍ୟାଡ, ଳମଙ୍ଗୁଳେଶ୍ବର ମନ୍ଦିର ନିକଟ ସମେତ ବିଭିନ୍ନ ସ୍ଥାନରେ ଥିବା ବାଲିବନ୍ତରୁ ନିୟମିତ ଲକ୍ଷାଧିକ ଟଙ୍କାର ବାଲି ଚୋରା ଚାଲାଣ ହେଉଥିବା ଦେଖାଦେଇଛି। ଗୋପ ଓ କୋଣାର୍କ ତହସିଲ ଅଧିନରେ ଥିବା ବାଲିବନ୍ତ ଗୁଡିକରୁ ଦୈନିକ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ ବାଲି ଚୋରାରେ ବିକ୍ରି କରାଯାଉଛି। ଏପରିକି ଚନ୍ଦ୍ରଭଗା ସମୁଦ୍ର କୂଳରେ ଥିବା ଲୁଣି ବାଲି ମାଫିଆଙ୍କ କବଜାରୁ ମଧ୍ୟ ବାଦ ପଡ଼ିନାହିଁ। ସରକାରଙ୍କ ମାଲିକାନାରେ ଥିବା ଏହି ବାଲିବନ୍ତରୁ ବାଲି ଉଠାଣ ଫଳରେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି । ଦୈନିକ ବାଲି ଚୋରା ଚାଲାଣ ଫଳରେ ବାଲି ମାଫିଆଙ୍କ ପକେଟକୁ ମୋଟା ଅଙ୍କର ଫାଇଦା ଯାଉଛି। ଆଇନର ଖୋଲାଖୋଲି ଉଲଂଘନ କରି ବାଲି ମାଫିଆ ମାଲେମାଲ ହେଉଛନ୍ତି। ରାତିରେ ବାଲି ମାଫିଆ ମାନେ କୋଣାର୍କ ର ବିଭିନ୍ନ ସ୍ଥାନରେ ନିର୍ଭୟରେ ବାଲି ଉଠାଉଥିଲା ବେଳେ ପ୍ରଶାସନ ଜାଣିନଜାଣିଲା ପରି ଚୁପ ହୋଇ ବସିରହିବାକୁ ନେଇ ସାଧାରଣ ରେ ପ୍ରଶାସନ ର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏ ଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଏହି ଚୋରା ବାଲି ଚାଲାଣକୁ ବନ୍ଦ କରାଯାଇ ବାଲି ମାଫିଆମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋଣାର୍କକୁ ବାଲି ମାଫିଆଙ୍କ କବଳରୁ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।