୧୬ତମ ଶ୍ରାଦ୍ଧ ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମନ୍ତ ଚନ୍ଦ୍ରଶେଖର ପରିଷଦର ପ୍ରତିଷ୍ଠାତା ସଦସ୍ୟ, ବିଶିଷ୍ଟ ଗଣିତ ଜ୍ୟୋତିଷ, ଆଇନଜୀବି ପଣ୍ଡିତ ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୬ତମ ସ୍ମୃତିଚାରଣ ଉତ୍ସବ ଓଡ଼ିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଶନିବାର ସନ୍ଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ ଗୃହରେ ବିଶିଷ୍ଟ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପୂର୍ବ ପ୍ରଶାସକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ, ପଣ୍ଡିତ ଶାସ୍ତ୍ରୀଙ୍କ ଜନ୍ମ ଓଡ଼ିଶାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ଯାଜପୁରର ଏକ ସମ୍ରାନ୍ତ ବ୍ରାହ୍ମଣ ପରିବାରେ ହୋଇଥିଲା । ନିଜର ଅଦମ୍ୟ ଅଧ୍ୟବସାୟ ବଳରେ ସେ ଉଚ୍ଚଶିକ୍ଷା ସହ ଜ୍ୟୋତିଷ ବିଦ୍ୟାର ସବୁଠାରୁ କଷ୍ଟସାଧ୍ୟ ଗଣିତ ଜ୍ୟୋତିଷକୁ ସେ ସାଧନା କରିଥିଲେ ।ମୁଖ୍ୟବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆଜିର ସମାଜରେ ପୂଜ୍ୟପୂଜା କରିବାରେ ଯୁବକମାନଙ୍କ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିବା ପାଇଁ ସବୁ କ୍ଷେତ୍ରରେ ଉଦ୍ୟମ ହେବା ଉଚିତ୍ । ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କର ସାମାଜିକ ସମ୍ପର୍କ ବିଷୟରେ ଆଜିର ଯୁବପିଢି ଅବଗତ ନାହାଁନ୍ତି । ଏହିଭଳି ମଣିଷମାନଙ୍କ ପାଇଁ ବହୁ ଅନୁଷ୍ଠାନ ବଞ୍ôଚ ରହିଥିଲା । ସମ୍ମାନିତ ଅତିଥି ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ଧନେଶ୍ୱର ମହାନ୍ତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଇଂରାଜୀ ଭାଷା ଉପରେ ଥିବା ଦଖଲର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ଶାସ୍ତ୍ରୀଙ୍କ ସୁପୁତ୍ର ଓକିଲ ଶୀଳଭଦ୍ର ଶାସ୍ତ୍ରୀ ସ୍ୱାଗତ ଭାଷଣ ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ପଣ୍ଡିତ ଶାସ୍ତ୍ରୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବାର୍ ଆସୋସିଏସନର ସମ୍ପାଦକ ତାପସ ମହାପାତ୍ର, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଇନଜୀବି ବିବେକାନନ୍ଦ ଉଦ୍‌ଗାତା, ଶ୍ରୀମତୀ ଦେବଜାନୀ ରାୟ ଓ ସମାଜସେବୀ ବରୁଣରାଜ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ