ବେଆଇନି ମୋରମ ଖାଦାନ ନେଲା ମହିଳାଙ୍କ ଜୀବନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବେଆଇନି ମୋରମ ଖାଦାନ ନେଲା ମହିଳାଙ୍କ ଜୀବନ । ମହିଳା ଜଣକ ଟ୍ରାକ୍ଟର ଯୋଗେ ମୋରମ ଉତ୍ତୋଳନ ଦେଖୁଥିବା ସମୟରେ ୩୦ଫୁଟ ଉଚାରୁ ଏକ ବାଉଁଶ ବୁଦା ତାଙ୍କ ଉପରେ ଅଜାଡ଼ି ହୋଇ ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ରୁ ଜଣାଯାଇଛି କି ଅସିଆ ଗାଁ ନିକଟରେ ଦୀର୍ଘଦିନ ହେଲା ବେଆଇନ ମୋରମ ଖଣି ଚାଲିଛି। ୨୫ରୁ ୩୦ ଫୁଟ ଗଭୀର ର ଏହି ମୋରାମ ଖାଦାନ ଚାରିପଟେ ଥିବା ଗଛ ମୂଳ ଗୁଡିକ ଖୋଳି ଦିଆ ଯାଇଥିବାରୁ ଉପରେ ଥିବା ଅନେକ ଗଛ ଉପୁଡି ପଡୁଛି। ଆଜି ଗାଁ ର ରୀନା ମୁଣ୍ଡା ନାମକ ଜଣେ ମହିଳା ଶୌଚ ପାଇଁ ପାହାଡ଼ ପଟକୁ ଯାଇ ଫେରିବା ବେଳେ ମୋରମ ଖାଦାନ ଭିତରେ ଟ୍ରାକ୍ଟର ଯୋଗେ ମୋରମ ଉତ୍ତୋଳନ ହେଉଥିବା ଦେଖୁଥିଲେ। ହଠାତ ଏହି ସମୟରେ ଗୋଟିଏ ବାଉଁଶ ବୁଦା ଉପୁଡି ଯାଇ ରୀନାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ଏହା ଦେଖି ଟ୍ରାକ୍ଟର ଚାଳକ ଓ ଲୋଡ଼ କରୁଥିବା ଶ୍ରମିକ ମାନେ ଦୌଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିନ୍ତୁ କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପାଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ଆସିଆ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିଛି ମୋରମ ମାଫିଆ ଗ୍ରାମବାସୀ ଙ୍କୁ ନାଲିଆଖି ଦେଖାଇ ମୋରମ ଲୁଟ କରୁଛନ୍ତି। ବାରମ୍ବାର ଏନେଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଏବେ ଅସିଆ-ରଗୁଡି ରାସ୍ତା କଡରେ ଦିନରାତି ମୋରମ ଖୋଳାଯାଉ ଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ