ଚୋରଗଡିଆ-ଶିବନାରାୟଣପୁର କେନାଲ ରାସ୍ତାର ସର୍ଭେ କାର୍ଯ୍ୟ ଆରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଚୋରଗଡିଆ-ଶିବନାରାୟଣପୁର ଓ ଆମ୍ବଗଡିଆ-ବଞ୍ଚୋ ମାଉସୀମା ମନ୍ଦିର, ଭାୟା ନାଇକ ସାହି କେନାଲ ବନ୍ଧ ରାସ୍ତାର ସର୍ଭେ କାମ ଆରମ୍ଭ ହୋଇଛି। ଚୋରଗଡିଆ-ଶିବନାରାୟଣପୁର କେନାଲ ରାସ୍ତାଟି ପରିତ୍ୟକ୍ତ ହୋଇ ପଡିଥିବାରୁ ଏହା ଉପରେ ନିର୍ଭର କରୁଥିବା ଶିବନାରାୟଣପୁର, ଆଡହୁରିଆ, ମୁଗୁପୁର ଆଦି ଗ୍ରାମର ହଜାର ହଜାର ଲୋକ ଯାତାୟତ କ୍ଷେତ୍ରରେ ଅସୁବିଧା ଭୋଗ କରୁଥିଲେ । ସେହିପରି ଆମ୍ବଗଡିଆ ରୁ ବଞ୍ଚୋ ମାଉସୀମା ମନ୍ଦିର, ଭାୟା ନାଇକ ସାହି କେନାଲ ବନ୍ଧ ରାସ୍ତା ନିର୍ମାଣ ହୋଇ ନଥିବାରୁ ବଞ୍ଚୋ ନାଇକ ସାହିର ଲୋକମାନେ ବାହାରକୁ ବହାରିବାରେ ନାନା ଅସୁବିଧା ଭୋଗ କରୁଥିଲେ । ଗ୍ରାମବାସୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ଜଳସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରିଥିଲେ । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ଦୁଇଟିକୁ ହାତକୁ ନେଇ ୧୧କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ପ୍ରସ୍ତାବ ଡେଇଛନ୍ତି । ଆମ୍ବଗଡିଆ ରୁ ବଞ୍ଚୋ ମାଉସୀମା ମନ୍ଦିର କେନାଲ ବନ୍ଧ ରାସ୍ତା ପାଇଁ ୬କୋଟି ୮ଲକ୍ଷ ୪ହଜାର ଟଙ୍କା ଓ ଚୋରଗଡିଆ-ଶିବନାରାୟଣପୁର କେନାଲବନ୍ଧ ରାସ୍ତା ପାଇଁ ୫କୋଟି ୬ଲକ୍ଷ ୭୦ହଜାର ଟଙ୍କାର ଅନୁଦାନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣଯନ୍ତ୍ରୀ ଶରତ କୁମାର ରାଉତ ଓ ହାଟଡିହି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ଏହି ଦୁଇଟି ରାସ୍ତା ଅନୁଧ୍ୟାନ କରିବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସର୍ଭେ କାମ ଆରମ୍ଭ ହୋଇଛି। ବିଶେଷ କରି ବଞ୍ଚୋ ମାଉସୀ ମା ମନ୍ଦିର ଠାରୁ ବଞ୍ଚୋ ବଡଦାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାକୁ ଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ ରାସ୍ତା ଅନୁଧ୍ୟାନ ଓ ସର୍ଭେ ସମୟରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ସୁଧାଂଶୁ ରାଉତ, ପ୍ରଭାକର ଖଣ୍ଡା, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ପ୍ରୀୟବ୍ରତ ନାୟକଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ରାସ୍ତା ଦୁଇଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଯାଇ ନୁତନ ରାସ୍ତା ନିର୍ମାଣ ହେଉଥିବା ଜାଣି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ