କାଶୀନଗର ଆଇସିଡିଏସ୍ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ସରିଛି, ହେଲେ ହସ୍ତାନ୍ତର କରାଯାଉନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ରେ ଅନେକ ସରକାରୀ ନୂତନ କୋଠା ନିର୍ମାଣ କରାଯାଇଛି । ପ୍ରାୟ ସମସ୍ତ କାମ ଶେଷ ହୋଇଯାଇଥିଲେ ମଧ୍ୟ ତାଲା ଝୁଲୁଛି । ନୂତନ କୋଠାଗୁଡ଼ିକ ଉଦ୍ଘାଟନ ଅପେକ୍ଷାରେ ରହିଛି। କାଶୀନଗରରେ ଅନେକ ସରକାରୀ କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏଠାକାର ଆଇସିଡିଏସ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ବହୁ ଦିନ ହେଲା ଶେଷ ହୋଇଯାଇଛି. ହେଲେ ବିଭାଗୀୟ କର୍ମକର୍ତ୍ତାଙ୍କ ନିଷ୍କ୍ରିୟତା ଯୋଗୁ ନୂତନ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଉନାହିଁ. କେଉଁଠି ଅଫିସ କାନ୍ଥ ଦୁର୍ବଳ ହୋଇଗଲାଣି ତ ଆଉ କେଉଁ ଅଫିସରେ ସିଲିଂ ଖସୁଛି। ଏଭଳି ସମସ୍ୟା ଯୋଗୁଁ ସରକାରୀ କାମ ବାଧାପ୍ରାପ୍ତ ହେଉଛି। ନୂତନ କୋଠା ନିର୍ମାଣ ସରକାରୀସ୍ତରରେ ମଞ୍ଜୁର ହୋଇ କାମ କରାଗଲା। କାଶୀନଗର ପଶୁ ଚିକିତ୍ସାଳୟ ପାର୍ଶ୍ଵରେ ଥିବା ବିଜୁ ପଟ୍ଟନାୟକ ଖେଳ ଭବନ, ସମନ୍ବିତ ଶିଶୁ ବିକାଶ ଅଧୂରୀ (ଆଇସିଡିଏସ୍ )ଙ୍କ କାର୍ଯ୍ୟାଳୟ, ମିଶନ ଶକ୍ତି ଗୃହ ଆଦି ବ୍ଲକ ତରଫରୁ କରାଯାଇଛି। ଆଜି ପର୍ଯ୍ୟନ୍ତ ଏହାର ଉଦ୍ଘାଟନ କରାଯାଇ ନାହିଁ । ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମାର୍କେଟ କମ୍ପ୍ଲେକ୍ସ, ମେଡିକାଲ ଛକ ଭେଣ୍ଡିଂ ଜୋନ, ଗୌତମ ସାହି ଭେଣ୍ଡିଂ ଜୋନ୍ ଉଦ୍ଘାଟନ ହୋଇସାରିଛି। ମାତ୍ର ବ୍ୟବସାୟିକ ଭିଭିରେ ବ୍ୟବହାର ହୋଇପାରୁ ନାହିଁ । ଉଠା ଦୋକାନୀଙ୍କୁ ଉଚ୍ଛେଦ କରି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି । ବହୁ ବର୍ଷ ଧରି କ୍ଷୁଦ୍ର ବ୍ୟବସାୟୀମାନେ ଉଠା ଦୋକାନ କରି ଗୁଜରାଣ କରୁଥିଲେ। ପ୍ରାୟ ୪ ମାସ ହେଲା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସରିଥିଲେ ସୁଦ୍ଧା ଏ ଯାଏଁ ଉନ୍ମୋଚନ ହୋଇପାରି ନାହିଁ । ନୂତନ ସରକାରୀ କୋଠାର ଉଦ୍ଘାଟନ ସହ ମାକେର୍ଟ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି। ଏନେଇ ବିଡିଓ ଅନୁପ ପଣ୍ଡାଙ୍କୁ ପଚାରିବାରେ କିଛି ଦିନ ହେଲା ଦାୟିତ୍ଵ ନେଇଛି। ଖୁବ ଶୀଘ୍ର ଏହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହି ଛନ୍ତି ।