ଭ୍ରଷ୍ଟାଚାର ଓ କୁଶାସନ ବିରୁଦ୍ଧରେ ବିଜେପିର ଜନଆକ୍ରୋଶ ଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା) : ଭ୍ରଷ୍ଟାଚାର ଓ କୁଶାସନର ସର୍ବକାଳୀନ ରେକର୍ଡ଼ କରିଛନ୍ତି ନବୀନ ବାବୁଙ୍କ ରାଜ୍ୟ ସରକାର। ଆଜି ଓଡ଼ିଶାରେ ଓଡ଼ିଆ ଲୋକ ଅବହେଳିତ, ନିର୍ଯ୍ୟାତିତ, ଯୁବକ-ଯୁବତୀ ପ୍ରତାରିତ, ମହିଳା ଅସୁରକ୍ଷିତ ଓ ଶୈଶବ ଅବହେଳିତ। ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାର ପିସି ଓ କିକଵ୍ଯାକ୍ ର ମସୂଧାରେ ଏଠାରେ ଚାଲିଛି ଅଣଓଡ଼ିଆ ଅଫିସର ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା। କେବେବି ଅନୁଭବ କରି ନଥିବା ଧ୍ବସ୍ତ ଆଇନଶୃଙ୍ଖଳାର ଶିକାର ଆଜିର ଶାନ୍ତିପୂର୍ଣ୍ଣ ଓଡ଼ିଶା। କଂଗ୍ରେସ ନେତୃତ୍ଵାଧୀନ ଉପା ସରକାର ଅମଳରେ ୯ ବର୍ଷରେ ୨ ଲକ୍ଷ ୬୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇଥିବା ଓଡ଼ିଶା ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ଵାଧୀନ ବିଜେପି ସରକାରରେ ୯ ବର୍ଷରେ ପ୍ରାୟ ୮ଗୁଣ ଅଧିକ ୧୮ ଲକ୍ଷ ୮୪ ହଜାର କୋଟି ଟଙ୍କାର ସହାୟତା ପାଇ ପାରିଛି। ତା ସ୍ବତ୍ତେ ଦୁର୍ନୀତି ଓ କୁଶାସନ କାରଣରୁ ଓଡ଼ିଶା ଆଜିବି ଦେଶର ଅନ୍ୟତମ ପଛୁଆ ରାଜ୍ୟରେ ରହିଛି ବୋଲି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ଶୌଚାଳୟ, ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଧବା – ଦିବ୍ଯାଙ୍ଗ – ବାର୍ଦ୍ଧକ୍ୟ ଭତ୍ତା, ଛାତ୍ର ବୃତ୍ତି, କୃଷି ମଣ୍ଡି, ମିଶନ ଶକ୍ତି, ବିଜୁଳି , ସ୍ବାସ୍ଥ୍ୟ ସେବା, ଶିକ୍ଷା, ଅବାଧ ନିଶାଦ୍ରବ୍ୟ କାରବାର, ଜଳସେଚନ ଓ ସମବାୟ ବ୍ଯବସ୍ଥା ପର୍ଯ୍ୟନ୍ତ ପ୍ରତ୍ଯକଟି କ୍ଷେତ୍ର ବିଜୁ ଜନତାଦଳର ଦୁର୍ନୀତି ଓ ବିଫଳତାର ମୁକସାକ୍ଷୀ, ବୋଲି ପ୍ରକାଶ କରି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ବିଜେପି ତରଫରୁ ଡାକରା ଦିଆଯାଇଥିବା ନଭେମ୍ବର ୧୪ ରୁ ୧୮ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ୍ ଓ ପୌର ସଂସ୍ଥା ସମ୍ମୁଖରେ ଜନଆକ୍ରୋଶ ଆନ୍ଦୋଳନ କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଚିଟଫଣ୍ଡ, ଖଣି ଓ ପାଣି ଦୁର୍ନୀତିରେ ଲିପ୍ତ ବିଜେଡ଼ି ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ ଏକ ଆରପାରର ଲଢେଇର ଶୁଭାରମ୍ଭ ହେବବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଥିଲେ। 5T ପ୍ରହସନରେ ଏହି ସମସ୍ତ ବିଫଳତାକୁ ଲୁଚେଇ ହେବନାହିଁ ବୋଲି କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା ଦାରିଦ୍ର୍ୟ ସୀମାରେଖାର ନୂତନ ସଂଜ୍ଞା ବହୁମୂଖି ଦାରିଦ୍ର୍ୟ ସୂଚ୍ଯାଙ୍କ ଅନୁଯାୟୀ ଓଡ଼ିଶା ଦେଶର ତଳଆଡୁ ଅପମାନ ଜନକ ସପ୍ତମ ସ୍ଥାନରେ ରହିବା ବିଜେଡ଼ି ସରକାର ଓ ନବୀନ ପଟ୍ଟନାୟକଙ୍କ ପାରିଲା ପଣିଆକୁ ଦର୍ଶାଉଛି ବୋଲି କହିଥିଲେ। ଏହି ଦାରିଦ୍ର୍ୟ ସୂଚ୍ଯାଙ୍କ ତଥ୍ୟ ଅନୁଯାୟୀ ବିଦ୍ୟାଳୟରେ ଅତିବାହିତ ବର୍ଷ ଦୃଷ୍ଟିରୁ ଓଡିଶାର ସ୍ଥାନ ବୃହତ୍ ରାଜ୍ୟ ମାନଙ୍କ ମଧ୍ୟରେ ତଳଆଡୁ ଷଷ୍ଠ, ରୋଷେଇ ଗ୍ୟାସ ବ୍ୟବହାରରେ ତଳଆଡୁ ତୃତୀୟ, ପରିମଳ ଓ ପରିଚ୍ଛନ୍ନତାରେ ତଳଆଡୁ ତୃତୀୟ, ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ତଳଆଡୁ ଚତୁର୍ଥ, ବିଦ୍ୟୁତ ସଂଯୋଗୀକରଣରେ ତଳଆଡୁ ପଞ୍ଚମ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଳଆଡୁ ନବମ ଓ ପାରିବାରିକ ସମ୍ପତ୍ତିରେ ତଳଆଡୁ ପଞ୍ଚମରେ ରହିବା ଦୃଷ୍ଟିକୋଣରୁ ନବୀନ ସରକାରଙ୍କର କ୍ଷମତାରେ ଆଉ ମୁହୁର୍ତ୍ତେ ରହିବାର ନୈତିକ ଅଧିକାର ନାହିଁ ବୋଲି ଜନଆକ୍ରୋଶ ଆନ୍ଦୋଳନକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।ରାଜ୍ୟର ଅନ୍ୟତମ ପ୍ରବକ୍ତା ଠାକୁର ରଣଜିତ ଦାସ ବେଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ଦୁର୍ନୀତିରେ ଆପାଦ ମସ୍ତକ ବୁଡି଼ ରହିଛନ୍ତି ବୋଲି କହିବା ସଙ୍ଗେସଙ୍ଗେ ରାଜ୍ୟ ସଭାପତି ମାନନୀୟ ମନମୋହନ ସାମଲଙ୍କ ଆହ୍ଵାନ କ୍ରମେ ଆୟୋଜିତ ହେଉଥିବା ଜନଆକ୍ରୋଶ ଆନ୍ଦୋଳନକୁ ଏହି ଚାରିଟି ଜିଲ୍ଲାରେ ଯୋରଦାର କରାଯିବ ବୋଲିି କହିଥିଲେ।ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଗଣମାଧ୍ୟମ ପ୍ରମୁଖ ଶ୍ରୀନିବାସ ପ୍ରଧାନ ସମ୍ବାଦଦାତା ମାନଙ୍କୁ ସ୍ବାଗତ କରିଥିବା ବେଳେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗଣମାଧ୍ୟମ ସହସଂଯୋଜକ ରଞ୍ଜିତ ପୁଷ୍ଟି ପରିଚାଳନାରେ ସହଯୋଗ କରିଥିଲେ ।